fbpx

ଦେଶରେ ମିଳୁଥିବା ମଙ୍କିପକ୍ସର ଷ୍ଟ୍ରେନ୍ ସୁପର ସ୍ପ୍ରେଡର କି? ଜିନୋମ ସିକ୍ୱେନ୍ସିଂରେ ହେଲା ଖୁଲାସା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ପାଇଁ ମଙ୍କିପକ୍ସ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ ଭାରତର ଲୋକଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର, କାରଣ ଦେଶରେ ମିଳୁଥିବା ମଙ୍କିପକ୍ସ ଭାଇରସର ଷ୍ଟ୍ରେନ ସୁପର ସ୍ପ୍ରେଡର ନୁହେଁ । ଏହି ସୂଚନା ମଙ୍କିପକ୍ସର ୨ ସଂକ୍ରମିତଙ୍କ ଜିନୋମ ସିକ୍ୱେନ୍ସିଂରୁ ସାମ୍ନାକୁ ଆସିଛି । ଯାଞ୍ଚ ବେଳେ କେରଳର ୨ ସଂକ୍ରମିତଙ୍କଠାରେ ଏ.୨ କ୍ଲେଡ ଭାଇରସ୍ ମିଳିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ମଙ୍କିପକ୍ସ ଭାଇରସର ଏ.୨ କ୍ଲେଡ ସୁପର ସ୍ପ୍ରେଡର ହେବାର କୌଣସି ପ୍ରମାଣ ନାହିଁ ।

ତେବେ ୨୦୨୧ ମସିହାରେ ମଙ୍କିପକ୍ସ ଭାଇରସର ଏ.୨ କ୍ଲେଡ ଫ୍ଲୋରିଡା, ଥାଇଲ୍ୟାଣ୍ଡ ଏବଂ ଭିଏତନାମରେ ମିଳିଥିଲା । ବୈଜ୍ଞାନିକଙ୍କ ଅନୁସାରେ, ଭାରତର ସ୍ଥିତି ୟୁରୋପ କିମ୍ବା ଆମେରିକାଠାରୁ ସମ୍ପୂର୍ଣ୍ଣ ଅଲଗା । ବୈଜ୍ଞାନିକଙ୍କ ଅନୁଯାୟୀ, କେରଳର ୨ ଆକ୍ରାନ୍ତ କୌଣସି ସଂଯୋଗ ଯୋଗୁଁ ସଂକ୍ରମିତ ହୋଇଛନ୍ତି । ମଙ୍କିପକ୍ସର ଭାଇରସ ୟୁରୋପରୁ ବହୁ ପୂର୍ବରୁ ଅନ୍ୟ ଦେଶରେ ପହଞ୍ଚିଛି ।

ଏହାରି ମଧ୍ୟରେ ମଙ୍କିପକ୍ସ ରୋଗୀ ଓ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି କେନ୍ଦ୍ର ସରକାର । ଏହି ଗାଇଡଲାଇନରେ ୨୧ ଦିନର ଆଇସୋଲେସନ, ମାସ୍କ ପିନ୍ଧିବା, ହାତ ସଫା ରଖିବା, କ୍ଷତକୁ ସମ୍ପୂର୍ଣ୍ଣ ଘୋଡ଼ାଇବା ଓ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଅପେକ୍ଷା କରିବା ଇତ୍ୟାଦି ସାମିଲ ହୋଇଛି । ମେ ମାସରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା ଏବଂ ଦିଲ୍ଲୀ ସରକାର ସମସ୍ତ ଡାକ୍ତରଖାନା ଏବଂ ୧୧ ଟି ରାଜସ୍ୱ ଜିଲ୍ଲାକୁ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗାଇଡଲାଇନ୍ ଅନୁସାରେ:-
– ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ। ଶରୀରର ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ।
– ରୋଗୀ ୩ ଥାକିଆ ମାସ୍କ ପିନ୍ଧିବେ
– ଶରୀରରେ ହୋଇଥିବା ଘା ଓ ବଥ ଗୁଡ଼ିକୁ ଯଥାସମ୍ଭବ ଘୋଡ଼ାଇ ରଖିବା ଉଚିତ
– ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ
– ମଙ୍କିପକ୍ସ ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍‌ ପିନ୍ଧିବେ
– ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ୍‌, ସେଲ୍‌, ଟିସୁ ଆଦି ଦାନ କରିପାରିବେନି।
– ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ବାରମ୍ବାର ହାତ ଧୋଇବେ ଏବଂ ସାନିଟାଇଜର ବ୍ୟବହାର କରିବେ।

Get real time updates directly on you device, subscribe now.