ଯାତ୍ରା କଳି, ଦରକାର ପଡ଼ିଲେ ଯାତ୍ରା ବନ୍ଦ କରିଦେବେ କଳାକାର
ହାଟରେ ପଡ଼ି ଦାଣ୍ଡରେ ଗଡୁଛି ଯାତ୍ରା ବିବାଦ। ଗୋଟେପଟେ ଯାତ୍ରା ମାଲିକ ସଂଘର ମେଳି, ଅନ୍ୟପଟେ ଯାତ୍ରା କଳାକାର ଏକାଠି।
ଭୁବନେଶ୍ୱର: ଥମିବାର ନାଁ ଧରୁନି ଯାତ୍ରା କଳି। ଗୋଟେପଟେ ଯାତ୍ରା ପାର୍ଟି ମାଲିକଙ୍କ ମେଳି ଅନ୍ୟପଟେ ଯାତ୍ରା କଳାକାରଙ୍କ ବୈଠକ। କେଉଁ ମୋଡ଼ ନେବ ଯାତ୍ରା ମୋଡ଼। ବିବାଦର ସମାଧାନ ହେବ, ନାଁ ସବୁଦିନ ପାଇଁ ଯାତ୍ରା ଲୋପ ପାଇଯିବ।
ନିକଟରେ ଯାତ୍ରା ହାସ୍ୟ କଳାକାର ନରି ପଣ୍ଡାଙ୍କୁ ଯାତ୍ରା ପାର୍ଟି ମାଲିକ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ନରି ପଣ୍ଡା। ଏହାପରେ ଅନେକ ବିବାଦ ସାମ୍ନାକୁ ଆସିଥିଲା। ପୋଲିସ କେସ୍ ମଧ୍ୟ ହୋଇଥିଲା।
ଆଉ ଏହି ବିବାଦ ଏତେ ବାଟ ବଢ଼ି ଗଲା ଯେ, ଶେଷରେ ଯାତ୍ରା ପାର୍ଟି ସଂଘ ଯାତ୍ରାରୁ ନରି ପଣ୍ଡାଙ୍କୁ ବ୍ୟାନ କରିଦେଲେ। ଏହାପରେ ନରି ପଣ୍ଡାଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ ଯାତ୍ରା କଳାକାର। ଆଉ ଆଜି ଏକାଠି ବସି ମିଟିଂ କରିବା ପରେ ଯାତ୍ରା ଅଭିନେତା ତଥା ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଏକ ବଡ଼ କଥା କହିଛନ୍ତି।
ଯାତ୍ରା କର୍ମଚାରୀ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ସୂଚନା ଦେଇଛନ୍ତି ଯେ, କଳାକାର ସଂଘର ନିଷ୍ପତ୍ତି ନରି ପଣ୍ଡାଙ୍କ ସହ ସବୁ କଳାକାର ରହିବେ। ଆଉ ଥରେ ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଲୋଚନା କରିବୁ। ଦରକାର ପଡିଲେ କଳାକାର ସଂଘ ଯାତ୍ରା ବନ୍ଦ କରିଦେବ।
ନରି ପଣ୍ଡାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସଂଘ ତାଙ୍କ ସହ ରହିବ। ସବୁ ଯାତ୍ରା କଳାକାର ଏକ ହୋଇ ରହିଛନ୍ତି। ନରି ପଣ୍ଡାଙ୍କୁ ନିର୍ଯ୍ୟାତନା ବେଳର ସିସିଟିଭି ମିଳୁନି କହୁଛନ୍ତି IO। ତାଙ୍କୁ ଗୋଇଠା ମାରିବା, ଜବରଦସ୍ତ ଦସ୍ତଖତ କରାଇବା କଥା ମଧ୍ୟ କହିଲେ ବାପି ପଣ୍ଡା।
ଯଦି ନ୍ୟାୟ ନମିଳେ ତାହାଲେ ଡିଜିପିଙ୍କୁ ଫେରାଦ ହେବୁ। ଉଭୟ ପକ୍ଷର ପଲିଗ୍ରାଫ ଟେଷ୍ଟ ହେଲେ ସବୁ ସତ ପଦାକୁ ଆସିବ। ମାଲିକ ସଂଘ ଅହଂକାର ଛାଡିଲେ ସମସ୍ୟାର ସମାଧାନ ହେବ।