fbpx

୪ ରାଜ୍ୟ ନିର୍ବାଚନ ଭିତରେ କେଉଁଠି ବି କାମ ଦେଲାନି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରଣନୀତି

ନୂଆଦିଲ୍ଲୀ: ଆଜି ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଛି । ତେବେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ତେଲେଙ୍ଗାନାରେ ବିଆରଏସକୁ ହରାଇ ସରକାରକୁ ଆସିଛି କଂଗ୍ରେସ। ସେହିପରି ଅନ୍ୟାନ ଦଳର କିଛି କିଛି ପ୍ରାର୍ଥୀ ଜାତୀୟ ଦଳ ସହ ଲଢେଇ କରି ଭଲ ରେଜଲ୍ଟ କରିଛନ୍ତି। ମାତ୍ର ପ୍ରମୁଖ ରାଜନୈତିକ ଦଳ ‘ଆମ୍ ଆଦ୍‌ମୀ ପାର୍ଟି’ କୌଣସି ସ୍ଥାନରେ ବି ଖାତା ଖୋଲିପାରିନି। ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭିତରେ ପଛରେ ପଡିଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ। ଯେଉଁଥି ପାଇଁ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି ୪ ରାଜ୍ୟର ଗୋଟିଏ ବି ଆସନରେ ନିଜର ଖାତା ଖୋଲିପାରି ନାହିଁ। ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି।

ତେବେ ହିନ୍ଦୀ ବେଲ୍ଟରେ ଆପ୍‌ ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ୨୦୦ରୁ ବି ଅଧିକ ଆସନରେ ନିଜର ପ୍ରାର୍ଥୀ ଦେଇଥିଲା। ମଧ୍ୟପ୍ରଦେଶରେ ଆପ୍‌ ୭୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିଥିଲା। ସେହିପରି ରାଜସ୍ଥାନରେ ୮୮, ଛତିଶଗଡ଼ରେ ୫୭ଟି ଆସନରେ ଆପ୍‌ ତା’ର ପ୍ରାର୍ଥୀ ଦେଇଥିଲା। ନିର୍ବାଚନୀ ପରିପ୍ରେକ୍ଷୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଷ୍ଟାର କ୍ୟାମ୍ପେନର ପାଲଟିଥିଲେ। ମାଗଣା ବିଦ୍ୟୁତ୍‌, ପାଣି ଓ ଶିକ୍ଷା ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଓ ପଞ୍ଜାବର ବିକାଶ କହିଥିଲେ । କିନ୍ତୁ ଏସବୁ ପରେ ବି ଆପ୍‌କୁ କୌଣସି ଫାଇଦା ମିଳିନଥିବା ଦେଖିବାକୁ ମିଳିଛି।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟିକୁ ଛତିଶଗଡରେ କେବଳ ୦.୯୭ ପ୍ରତିଶତ, ମଧ୍ୟପ୍ରଦେଶରେ ୦.୪୨ ପ୍ରତିଶତ ଏବଂ ରାଜସ୍ଥାନରେ ୦.୩୭ ପ୍ରତିଶତ ଭୋଟ୍ ମିଳିଛି । ତେବେ ତେଲେଙ୍ଗାନାରେ ଆମ୍ ଆଦମୀର ପାର୍ଟି କୌଣସି ପ୍ରାର୍ଥୀ ନିର୍ବାଚନ ଲଢ଼ି ନାହାନ୍ତି।

Get real time updates directly on you device, subscribe now.