fbpx

‘ଅଶ୍ରଫ୍ ଘନି ପୂରା ଧୂର୍ତ୍ତ’; ଟ୍ରମ୍ପ୍ ଆହୁରି କହିଲେ ଏମିତି

ଓଡ଼ିଶା ଭାସ୍କର ବ୍ୟୁରୋ: ନିଜ ଦେଶର ଲୋକଙ୍କ ଜୀବନ ଆତଙ୍କ ବଳୟକୁ ଠେଲି ଦେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି ଲୁଚି ପଳାଇଲେ । ତାଲିବାନୀ ଅକ୍ତିଆର କରିନେବା ପରେ ପ୍ରାଣ ବିକଳରେ ଆଫଗାନିସ୍ତାନ ଛାଡ଼ି ଚାଲିଗଲେ ରାଷ୍ଟ୍ରପତି ଘନି । ଏହାକୁ ନେଇ ସାରା ବିଶ୍ୱ ତାଙ୍କୁ ସମାଲୋଚନା କରୁଛି । ଏହି କ୍ରମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କଡ଼ା ଭର୍ତ୍ସନା କରିଛନ୍ତି ଘନିଙ୍କୁ ।

ଟ୍ରମ୍ପ୍ କହିଛନ୍ତି ଯେ ଅଶ୍ରଫ୍ ଘନି ଜଣେ ବଡ଼ ଧୂର୍ତ୍ତ । କେବେହେଲେ ତାଙ୍କର ନିଜ ଉପରେ ବିଶ୍ୱାସ-ଭରସା ନଥିଲା । ଭୟାଳୁ ଘନି ଦେଶ ଛାଡ଼ି ପଳାୟନ କରିଛନ୍ତି । ଏଭଳି କହିବା ସହ ଟ୍ରମ୍ପ୍ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ଆଫଗାନିସ୍ତାନର ଏଭଳି ପରିସ୍ଥିତି ପାଇଁ ବାଇଡେନ୍ ମଧ୍ୟ ଦାୟୀ ବୋଲି ଟ୍ରମ୍ପ୍ ଅଭିଯୋଗ କରିଆସୁଛନ୍ତି । ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନୀ ସେଠାରେ ମାତି ଉଠିଥିବା ଏବଂ ଏଥିଲାଗି ବାଇଡେନ୍ ଦୋଷୀ ବୋଲି ଟ୍ରମ୍ପ କହିଥିବାବେଳେ ଅଶ୍ରଫ୍ ଘନିଙ୍କୁ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ଅନ୍ୟପକ୍ଷରେ ଘନିଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଉଠୁଛି । ଦେଶର ଜନତାଙ୍କୁ ସଂକଟରେ ପକାଇ ପୁଳା ପୁଳା ଟଙ୍କା ନେଇ ହେଲିକପ୍ଟରେ ଲୁଚି ପଳାଇଥିବା କୁହାଯାଉଛି । ଏପରିକି ରାଜକୋଷରୁ ୧୬୯ ମିଲିଅନ୍ ଡଲାର (୧୨ ଶହ କୋଟିରୁ ଅଧିକା) ଚୋରାଇ ନେଇଥିବା ମଧ୍ୟ ଅଭିଯୋଗ ଉଠିଛି । ଟ୍ରମ୍ପ୍ କହିଛନ୍ତି ଯେ କେବଳ ମନ ଜିଣିବା ପାଇଁ ଘନି ଆଳ କରୁଥିଲେ । ଏକ ପ୍ରକାର ତେଲ ମାରିବା ପଲିସି ଆପଣାଇଥିଲେ ଘନି ବୋଲି ଟ୍ରମ୍ପ୍ ଅଭିଯୋଗ କରିଛନ୍ତି । ଏଥିସହ ସେ ଜଣେ ଘାତକ ସଦୃଶ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ ଟ୍ରମ୍ପ୍ ।

ସେପଟେ ଅଶ୍ରଫ୍ ଘନି ସମ୍ପ୍ରତି ସପରିବାର ସହ ୟୁଏଇରେ ଶରଣ ପଶିଥିବା କୁହାଯାଉଛି । ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ସେ ସ୍ୱଦେଶ ଫେରିଆସିବେ । ଏଥିସହ ତାଙ୍କୁ ବାଧ୍ୟ କରିଦିଆଗଲା ଆଫଗାନିସ୍ତାନ ଛାଡ଼ିବାକୁ ବୋଲି ସେ ଉଲ୍ଲେଖ କରିଛନ୍ତି । କେବଳ ପାରମ୍ପରିକ ପୋଷାକ ହଳେ ଓ ଚପଲ ନେଇ ସେ ଦେଶ ଛାଡ଼ିଥିବା କହିଛନ୍ତି । ଏପରିକି ସେ ଦେଶ ଛାଡ଼ିନଥିଲେ ତାଙ୍କୁ ତାଲିବାନୀ ଫାଶୀରେ ଝୁଲାଇ ଦେଇଥାନ୍ତେ ବୋଲି ମଧ୍ୟ କହିଛନ୍ତି ଘନି ।

Get real time updates directly on you device, subscribe now.