fbpx

ଅଶ୍ୱିନୀ ବୈଷ୍ଣବ ହେବେ ମୁଖ୍ୟମନ୍ତ୍ରୀ !

ଓଡ଼ିଶା ଭାସ୍କର ବ୍ୟୁରୋ: ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଜାତୀୟ ରାଜନୀତିରେ ପାଲଟିଛନ୍ତି ସବୁଠୁ ଚର୍ଚ୍ଚିତ ଚେହେରା । ଅପ୍ରତ୍ୟାଶିତ ଭାବେ ଦେଶର ଗମନାଗମନର ଜୀବନ ରେଖା କୁହାଯାଉଥିବା ରେଳ ମନ୍ତ୍ରଣାଳୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବା ତାଙ୍କର ଦକ୍ଷତା, ସାମର୍ଥ୍ୟ ଓ ପରାକାଷ୍ଠାର ପରିଚୟ ଦେଇଛି । ଦିନ ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅଶ୍ୱିନୀ ବୈଷ୍ଣବ ଆଜି ମୋଦୀ କ୍ୟାବିନେଟର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ଆର୍ବିଭାବ ହୋଇଛନ୍ତି । ରେଳ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପାଇବା ପରେ ଜନ୍ମଭୂମି ରାଜସ୍ଥାନ ସହ କର୍ମଭୂମି ଓଡ଼ିଶାରେ ବଢ଼ିଛି ଅଶ୍ୱିନୀଙ୍କ ରାଜନୈତିକ ପତିଆରା । ୧୯୯୯ ମହାବାତ୍ୟାରେ ଓଡ଼ିଶା ସରକାରଙ୍କୁ ମୁକାବିଲାର ମାର୍ଗ ପ୍ରଶସ୍ତ କରାଇଥିବା ଅଶ୍ୱିନୀ ଏବେ ଦେଶର ରେଳ ଇଞ୍ଜିନ କରିବେ ଆହୁରି ଗତିଶୀଳ । ଆଉ ମୋଦୀ ସରକାରଙ୍କ ସ୍ୱପ୍ନକୁ ସାକାର କରିବା ସହ ଦେଶର ବିକାଶରେ ନୂତନ ଦିଗ ଦେବେ ବୋଲି ବୈଷ୍ଣବଙ୍କ ପରି ବଳିଷ୍ଠ ବ୍ୟକ୍ତିତ୍ୱଙ୍କଠୁ ଆଶା କରାଯାଉଛି ।
ରାଜସ୍ଥାନର ଯୋଧପୁରରେ ଜନ୍ମିତ ଅଶ୍ୱିନୀ ବୈଷ୍ଣବଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପ୍ରଶାସନିକ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ କାହା ମନରେ ବି ନାହିଁ, ପ୍ରଶ୍ନ ଉଠୁଛି ଭାଗ୍ୟଚକ୍ର ଓ ଗ୍ରହଯୋଗ ବଳରେ ତେଜୀୟାନ୍ ତାଙ୍କ କୁଣ୍ଡଳୀର ରାଜପଦ ପ୍ରାପ୍ତି ଓ ରାତାରାତି ଉତଥାନକୁ ନେଇ ଓଡ଼ିଶାରୁ ରାଜ୍ୟସଭା ବିଜେଡି ସମର୍ଥନରେ ଓ ବିଜେପି ନାଁରେ ଯାଇଥିବା ଏହି ଦକ୍ଷ କରିତକର୍ମା ବ୍ୟକ୍ତିବିଶେଷ ରେଲୱେ ଓ ଆଇଟି ମନ୍ତ୍ରଣାଳୟ ପାଇବା ପରେ ସାରା ଦେଶ ଚକିତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରି ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅହେତୁକ ଭାଗ୍ୟବାନ୍ ।

କେହିକେହି ତାଙ୍କୁ ବିଜେଡି-ବିଜେପି ମେଣ୍ଟର ବିଜେଡି ଭାଗର ଦୁଇ କ୍ୟାବିନେଟ୍ ପ୍ୟାହା ପାଇଥିବା କହୁଥିଲାବେଳେ ଆଉକେହି ତାଙ୍କର ଅଭ୍ୟୁଦୟକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଦଖଲ ସମୀକରଣରେ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀକୁ ଚେକ୍ ଦେବା ରୂପେ ଦେଖୁଛନ୍ତି । ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରାଜନୀତିରେ ନବାଗତ ସତ କିନ୍ତୁ ରାଜ୍ୟ ପ୍ରତିନିଧି ହିସାବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଆଦୌ ନାହାନ୍ତି । ଏମିତିରେ, ତାଙ୍କ ମୂଳରାଜ୍ୟ ରାଜସ୍ଥାନରେ ୨୦୨୩ରେ ଆଗାମୀ ବିଧାନସଭା ନିର୍ବାଚନ । ବସୁନ୍ଧରା ରାଜେ ସିନ୍ଧିଆ ଏବେ ୬୮ ବର୍ଷରେ ଉପନୀତ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କାରଣବଶତଃ ବିବାଦୀୟ ଚେହେରା ତେଣୁ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଦି’ ବର୍ଷ ଭିତରେ ନିଜକୁ ପ୍ରମାଣିତ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଜେପି, ଯୁବ ଓ ଯୋଗ୍ୟ ଚେହେରାଙ୍କୁ ସାମ୍ନାକୁ ଆଣିବା ଅର୍ଥ ଭବିଷ୍ୟତ ପାଇଁ ଦଳକୁ ପ୍ରସ୍ତୁତ କରିବା । ଅତୀତରେ ବହୁ କେନ୍ଦ୍ରମନ୍ତ୍ରୀ ସମାନ ଶୈଳୀରେ ମୁଖ୍ୟମନ୍ତ୍ରୀ ପଦାସୀନ ହେବାର ନଜିର ରହିଛି । ତେଣୁ ଅଶ୍ୱିନୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ବିଜେପି ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଏହା ଏଥିପାଇଁ କହୁଛୁ, ଦଳୀୟ ହାଇକମାଣ୍ଡଙ୍କ ଗୁଡ୍ ୱିଲରେ ବସୁନ୍ଧରା ରାଜେ ଆଉ ନାହାନ୍ତି । ରାଜ୍ୟ ବିଜେପି ମୁଖ୍ୟାଳୟରେ ନିକଟରେ ଲଗାଯାଇଥିବା ନୂତନ ପୋଷ୍ଟରରୁ ବସୁନ୍ଧରାଙ୍କ ଫଟୋ ଗାଏବ ରହିବା ରାଜସ୍ଥାନ ରାଜନୀତିକୁ ଏକ ନୂତନ ସନ୍ଦେଶ ଦେଇଛି । ଅଶ୍ୱିନୀ ବୈଷ୍ଣବ ଏମିତି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଯାହାଙ୍କଠାରେ ଜନତାଙ୍କ ବିଶ୍ୱାସଭାଜନ ହେବାର ସାମର୍ଥ୍ୟ ରହିଛି । ରାଜନୈତିକ ମହଲରେ ସେ ନିଜର ସମସ୍ତ ଅଭିଜ୍ଞତାକୁ ଆଧାର କରି ନିଜକୁ କେମିତି ପ୍ରତିପାଦିତ କରିବେ ତାହା ଦେଖିବାକୁ ବାକି ରହିଲା।

ଯଦି ଆମେ ଓଡ଼ିଶାକୁ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ଦୃଷ୍ଟିକୋଣ ଉପରେ ନଜର ପକାଇବା ତେବେ ଏଥର ରାଜ୍ୟଭାଗରେ ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ । ହେଲେ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପରିଷଦରୁ ବାଦ୍ ଦେବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ପ୍ରତାପ ବାଦ୍ ପଡ଼ିବା କାରଣ କେବଳ ଏମଏସଏମଇ ମନ୍ତ୍ରଣାଳୟ ରିପୋର୍ଟ କାର୍ଡ ନୁହେଁ ବରଂ ବାଲେଶ୍ୱର ଉପନିର୍ବାଚନରେ ଦଳ ଭୟଙ୍କର ଭାବେ ପରାଜୟ ବରଣ କରିବା ବି ଏକ କାରଣ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବିଶ୍ୱେଶ୍ୱର ଟୁଡୁଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବା ଅର୍ଥ ଦଳ ଜୁଏଲ ଓରାମଙ୍କୁ ପୂର୍ଣ୍ଣକାଳୀନ ବିରାମ ଦେଇ ଭୋଟ୍ ରାଜନୀତିର ପରବର୍ତ୍ତୀ ଆଦିବାସୀ ଚେହେରାରେ ସ୍ୱୀକୃତି ଦେବା । ନିକଟ ଅତୀତରେ ବୈଜୟନ୍ତ ପଣ୍ଡାଙ୍କୁ ସାଂଗଠନିକ ଦାୟିତ୍ୱ ଓ ଅପରାଜିତାଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇ କେନ୍ଦ୍ରୀୟ ନେତୃବର୍ଗ ଇସାରା ଇସାରାରେ ଦୁହେଁ କ୍ୟାବିନେଟ ରେସରେ ନାହାନ୍ତି ବୋଲି ସଂକେତ ଦେଇସାରିଥିଲେ ।

କରୋନା ପରବର୍ତ୍ତୀ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଚୟନ ହେଇଥିବା ଧର୍ମେନ୍ଦ୍ର ପ୍ରଧାନ (ନୂଆ ଶିକ୍ଷାମନ୍ତ୍ରୀ) ଏବେବି ବିଜେପିର ଓଡ଼ିଶା ପସନ୍ଦ ମୁହଁ । କାରଣ କେନ୍ଦ୍ର ବିଜେପି ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ସହ ମେଣ୍ଟ ଧର୍ମ ଏବେବି ରକ୍ଷା କରୁଛି । ଶେଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ଏହି କ୍ୟାବିନେଟ୍ ବିସ୍ତାର ଆଗାମୀ ଲୋକସଭା ନିର୍ବାଚନ ଓ ଦେଶର ସାମ୍ପ୍ରତିକ ସ୍ଥିତି ଅନୁରୂପ କହିଲେ ଅତ୍ୟୁକ୍ତି ହେବନି । ସେ ଯାହାହେଉ ଅଶ୍ୱିନୀ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକଦାର୍ ହୋଇପାରନ୍ତି, ଏହି ସମ୍ଭାବ୍ୟକୁ ଏଡ଼ାଇ ହେବନି ।

Get real time updates directly on you device, subscribe now.