fbpx

ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ: ବିଜେପିର ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ଥର ମଧ୍ୟ ଅଶ୍ୱିନୀଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଶ୍ୱିନୀ ରାସ୍ୟସଭାକୁ ଯିବେ । ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ମଧ୍ୟପ୍ରଦେଶର ୪ ଜଣ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏନେଇ ଗତ ୮ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ସମାପ୍ତ ହେବ । ଏନେଇ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

ତେବେ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଅଶ୍ୱିନୀଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା ବଢ଼ିଥିଲା । ଗୋଟିଏ ପଟେ ବିଜେଡି ତା’ର ତୃତୀୟ ପ୍ରାର୍ଥୀଙ୍କ ନାମକୁ ନେଇ ସସପେନ୍ସ ରଖିଥିବା ବେଳେ ଆଜି ବିଜେପି ପକ୍ଷରୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଗତ ଥର ବିଜେଡି ସମର୍ଥନରେ ଅଶ୍ୱିନୀ ରାଜ୍ୟସଭା ଯାଇଥିବା ବେଳେ ଏଥର କ’ଣ ହେବ ତା’ ଉପରେ ଏବେ ସଭିଙ୍କ ନଜର ।

Get real time updates directly on you device, subscribe now.