fbpx

କୋଣାର୍କରେ ପ୍ରତିଷ୍ଠା ହେବ ‘Asia Centre for Community Media’: ଦେଶ, ବିଦେଶର ସାମ୍ବାଦିକଙ୍କ କେନ୍ଦ୍ରସ୍ଥଳ ପାଲଟିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି । ଦୀର୍ଘ ୧୨ ବର୍ଷ ଧରି ପଡ଼ି ରହିଥିବା ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନରେ ଆସନ୍ତା ଏପ୍ରିଲ ମାସରୁ ରୋପୱେ ବ୍ୟବସ୍ଥା ଆରମ୍ଭ ହେବ । ସେହିପରି ଆଗକୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ରୋପୱେ ପ୍ରତିଷ୍ଠା ପାଇଁ ଯୋଜନା କରାଯିବା ସହିତ ଶ୍ରୀକ୍ଷେତ୍ର ଧାମ ପୁରୀ ପାଇଁ ମଧ୍ୟ ଅନେକ ଯୋଜନା ରାଜ୍ୟ ସରକାର କରିଛନ୍ତି ।

ତେବେ ଏହା ମଧ୍ୟରେ ଐତିହ୍ୟ ସ୍ଥଳ କୋଣାର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୋଣାର୍କରେ ଖୁବଶୀଘ୍ର ‘ଏସିଆ ସେଣ୍ଟର ଫର୍ କମ୍ୟୁନିଟି ମିଡ଼ିଆ’ ପ୍ରତିଷ୍ଠା ହେବ । ‘ୟଙ୍ଗ ଇଣ୍ଡିଆ’ ନାମକ ଏକ ସାମାଜିକ ସଂଗଠନ ଏହି ଦାୟିତ୍ୱ ନେଇଛି । ଏହାଫଳରେ ଏସିଆ ମହାଦେଶର ବିଭିନ୍ନ ଦେଶରେ କମ୍ୟୁନିଟି ମିଡ଼ିଆ ଓ ଯୋଗାଯୋଗ ବିକାଶର କ୍ଷେତ୍ର ପ୍ରସାର ହୋଇପାରିବ ।

ଏସିଆ ସେଣ୍ଟର ଫର କମ୍ୟୁନିଟି ମିଡ଼ିଆ ପକ୍ଷରୁ ବିଭିନ୍ନ ଦେଶମାନଙ୍କର ୟୁନିଭରସିଟିରେ ଅଧ୍ୟୟନ କରୁଥିବା ସାମ୍ବାଦିକ ଛାତ୍ର, ଅଧ୍ୟୟନକାରୀ, କମ୍ୟୁନିଟି ମିଡ଼ିଆ ଅଭ୍ୟାସକାରୀଙ୍କ ପାଇଁ କର୍ମଶାଳାର ଆୟୋଜନ କରାଯିବ । ଏଥିସହିତ ସାମ୍ବଦିକଙ୍କ ପାଇଁ ଶର୍ଟ ଟର୍ମ କୋର୍ସ, ଟ୍ରେନିଂ ସୁବିଧା ପ୍ରଦାନ କରାଯିବ । କୋଣାର୍କ ଏବେ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ପରିଚିତ ଥିବା ବେଳେ ଆଗାମୀ ଦିନରେ ଏହା ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ସଂଗଠନ, ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟର, ଗଣମାଧ୍ୟମ ପ୍ରତିନିଧି, ପେଶାଦାର ସାମ୍ବାଦିକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି ଏହି ସେଣ୍ଟରର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଏନ.ଏ. ଶାହା ଅନସାରୀ କହିଛନ୍ତି ।

Get real time updates directly on you device, subscribe now.