fbpx

ପାକିସ୍ତାନରେ ହେବ ଏସିଆ କପ୍: ଭାରତ ଖେଳିବା ନେଇ ହେଲା ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩କୁ ନେଇ ଚାଲିଥିବା ବିବାଦ ଏବେ ଶେଷ ହେଉଥିବା ନଜର ଅସୁଛି । ଚଳିତ ଥର ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେଉଥିବା ବେଳେ ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଅନ୍ୟପଟେ ପାକିସ୍ତାନ ନିଜ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ କରିବାକୁ ଚାହୁଁଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉଭୟ ଦେଶର ବୋର୍ଡ, ବିସିସିଆଇ ଏବଂ ପିସିବି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି ଯେଉଁଥିରେ ଏସିଆ କପ୍ ଆୟୋଜନ ପାଇଁ ସମାଧାନର ରାସ୍ତା ମିଳିଛି।

ଇଏସ୍‌ପିଏନ୍ ରିପୋର୍ଟ ମୁତାବକ ପାକିସ୍ତାନରେ ହିଁ ଏସିଆ କପ୍ ୨୦୨୩ ଆୟୋଜିତ ହେବ। କିନ୍ତୁ ଭାରତ ସେଠାରେ ଗୋଟିଏ ହେଲେ ମ୍ୟାଚ୍ ଖେଳିବ ନାହିଁ। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍ ସହିତ ମୋଟ୍ ୫ ମ୍ୟାଚ୍ ଆୟୋଜନ ହେବ। ଏଥିପାଇଁ ଯଦିଓ ସ୍ଥାନ ଘୋଷଣା ହୋଇନାହିଁ, ତଥାପି ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ପ୍ରମୁଖ ଦାବିଦାର ଅଛନ୍ତି। ତେବେ ଇଂଲଣ୍ଡରେ ଭାରତ ମ୍ୟାଚ୍ ହେବା ସମ୍ଭାବନା ବହୁତ କମ୍‌, କାରଣ ଏଠାକୁ ଟିମ୍ ଟ୍ରାଭେଲିଂ ପାଇଁ ବହୁତ ସମୟ ବରବାଦ ହେବ।

ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରାୟ ତିନିଥର ମୁକାବିଲା ହୋଇପାରେ। ଉଭୟ ଟିମ୍ ଗୋଟିଏ ଗ୍ରୁପ୍‌ରେ ଅଛନ୍ତି। ଏବଂ ଯଦି ଦୁଇ ଟିମ୍ ଫାଇନାଲରେ ପହଞ୍ଚନ୍ତି, ତେବେ ତିନି ଥର ମୁକାବିଲା ହେବ। ୬ ଟି ଦେଶର ଅଂଶଗ୍ରହଣ ସହିତ ଏହି ଟୁର୍ନାମେଣ୍ଟ ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ବିଶ୍ୱକପ୍ ୨୦୨୩ କୁ ନଜରରେ ରଖି ଚଳିତ ଥର ଟୁର୍ଣ୍ଣାମେଣ୍ଟ ୫୦ ଓଭର ବିଶିଷ୍ଟ ହେବ। ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଦଳରେ ଥିବାବେଳେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅନ୍ୟ ଦଳରେ ଅଛନ୍ତି। ଫାଇନାଲ୍ ମ୍ୟାଚ୍ ସାମିଲ କରି ଏସିଆ କପରେ ମୋଟ ୧୩ ଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ୧୩ ଦିନିଆ ଏସିଆ କପରେ ସୁପର ଫୋରରେ ପ୍ରବେଶ କରିବେ। ଏଠାରୁ ଶ୍ରେଷ୍ଠ ଦୁଇ ଦଳ ଫାଇନାଲରେ ପ୍ରବେଶ କରିବେ।

Get real time updates directly on you device, subscribe now.