fbpx

ଆସାମ-ମେଘାଳୟ ସୀମା ବିବାଦ, ୫୦ ବର୍ଷ ପରେ ହେଲା ସମାଧାନ, ଐତିହାସିକ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦୀର୍ଘ ୫୦ ବର୍ଷ ଧରି ଆସାମ ଓ ମେଘାଳୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ମଙ୍ଗଳବାର ସମାଧାନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ନେଇ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ବିବାଦର ସମାଧାନ ପରେ ଏହାକୁ ଐତିହାସିକ ବୋଲି କହିଛନ୍ତି ଗୃହମନ୍ତ୍ରୀ ଶ୍ରୀ ଶାହା ।

ସୂଚନାଯୋଗ୍ୟ ଯେ ଆସାମ ଓ ମେଘାଳୟ ସୀମାର ୧୨ଟି ସ୍ଥାନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ୬ଟି ବିବାଦୀୟ ସ୍ଥଳର ସମାଧାନ ହେବା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପୂର୍ବୋତ୍ତର ରାଜ୍ୟମାନଙ୍କ ପାଇଁ ଏହା ଏକ ଐତିହାସିକ ଦିନ ବୋଲି କୁହାଯାଉଛି । ବାକି ରହିଥିବା ୬ଟି ବିବାଦର ସମାଧାନ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରାଯାଇ ସମାଧାନର ରାସ୍ତା ବାହାର କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବୋତ୍ତର ଶାନ୍ତି ପ୍ରକ୍ରିୟା, ବିକାଶ ଓ ସମୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ରରେ ବିଜେପି ସରକାର ଶାସନ ଭାର ନେବା ଦିନଠାରୁ ଉଦ୍ୟମ କରି ଆସୁଛନ୍ତି । ଶାନ୍ତି ପ୍ରକ୍ରିୟା ସହ ଏଠାକାର ସଂସ୍କୃତି ଓ ଐତିହ୍ୟର ସମୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଦୁଇ ରାଜ୍ୟର ସୀମାର ଦୈର୍ଘ୍ୟରୁ ଅନ୍ୟୂନ ୭୦ ପ୍ରତିଶତ ବିବାଦ ସମାଧାନ ହୋଇପାରିଛି । ଏଥିରୁ ବାକି ରହିଥିବା ୬ଟି ବିବାଦର ମଧ୍ୟ ନିକଟ ଭବିଷ୍ୟତରେ ସମାଧାନ ହେବ ବୋଲି ଆଶା କରାଯାଉଛି । ବୁଝାମଣାପତ୍ର ସ୍ୱାକ୍ଷରିତ ପରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଲାଗି ଆମେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବୁ । ଏଥିରୁ ଆଗାମୀ ୬/୭ ମାସରେ ବାକି ବିବାଦ ଗୁଡ଼ିକର ମଧ୍ୟ ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିପରି ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଯେଉଁ ବାକି ସ୍ଥାନକୁ ନେଇ ବିବାଦ ରହିଛି ସେସବୁର କି ରି ସମାଧାନ ହେବ ଏବେଠୁ ତାହା ଉପରେ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.