fbpx

ଅନ୍ତିମ ର‌୍ୟାଲିରେ ମୋଦୀ ଦେଲେ ଏପରି ପ୍ରତିଶ୍ରୁତି, କହିଲେ ସରକାର ଗଠନ ପରେ ୨୫ ଦିନ କେବଳ ଯୁବବର୍ଗଙ୍କ ଲାଗି କେନ୍ଦ୍ରିତ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ହୋସିୟାରପୁରରେ ଆଜି ଲୋକସଭା ନିର୍ବାଚନ ୨୦୨୪ର ଶେଷ ର‌୍ୟାଲିକୁ ସମ୍ବୋଧିତ କରିଛନ୍ତି । ଏହି ର‌୍ୟାଲିରେ ସେ ଭ୍ରଷ୍ଟାଚାରର ଜନନୀ କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ଭ୍ରଷ୍ଟାଚାରରେ ଡବଲ ପିଏଚଡି କରିଛି । ସେ ଆମ ଆଦମୀ ପାର୍ଟିକୁ ବି ଛାଡି ନାହାନ୍ତି । ମୋଦୀ କହିଛନ୍ତି ଏବେ କଂଗ୍ରେସ ସହିତ ଆଉ ଏକ କଟ୍ଟର ଭ୍ରଷ୍ଟାଚାରୀ ଦଳ ଯୋଡି ହୋଇଯାଇଛି । ଏହା ବ୍ୟତିତ ମୋଦୀ ୧୨୫ ଦିନର ଏଜେଣ୍ଡା ବି ଉପସ୍ଥାପନ କରିଛନ୍ତି ।

କଂଗ୍ରେସ-ଆପ୍ ମେଣ୍ଟ ଉପରେ ଆକ୍ରମଣ କରି ମୋଦୀ କହିଛନ୍ତି ମିଥ୍ୟାବାଦୀ ପାର୍ଟିର ପ୍ରଥମ ସରକାର କଂଗ୍ରେସ ସମର୍ଥନରେ ଦିଲ୍ଲୀରେ ତିଆରି ହୋଇଥିଲା । ଏଥିପାଇଁ ଆପ୍ ଭ୍ରଷ୍ଟାଚାରର ଜନନୀ କଂଗ୍ରେସ ଠାରୁ ଭ୍ରଷ୍ଟାଚାରର ପାଠ ପୁରା ଶିଖିଯାଇଛି । ଏମାନେ କହୁଛନ୍ତି କି ପଞ୍ଜାବକୁ ନିଶାମୁକ୍ତ କରିବେ । କିନ୍ତୁ ଏମାନେ ତ ନିଶାକୁ ରୋଜଗାରର ସାଧନ କରିଦେଇଛନ୍ତି । ଦିଲ୍ଲୀର ମଦ ଦୁର୍ନିତୀ ମାମଲା ବିଷୟରେ ଏବେ ପୁରା ବିଶ୍ୱ ଅବଗତ ।

ମୋଦୀ କହିଛନ୍ତି ନିର୍ବାଚନ ସମୟର ଏହି ବ୍ୟସ୍ତତା ଭିତରେ ବି ଆମ ସରକାର ଗୋଟିଏ ମୁହୂର୍ତ୍ତ ବି ବ୍ୟର୍ଥ ହେବାକୁ ଦେଇନାହିଁ । ସରକାର ଗଠନ ହେବାର ଆଗାମୀ ୧୨୫ ଦିନ ଭିତରେ କ’ଣ ହେବ, ସରକାର କ’ଣ କରିବେ, ସରକାର କାହା ପାଇଁ କରିବେ, କେଉଁ ସମୟ ପର୍ଯ୍ୟନ୍ତ କରିବେ ଏହାର ରୋଡ୍ ମ୍ୟାପ୍ ଉପରେ କାମ କରିସାରିଛନ୍ତି । ଏଥିରେ ୨୫ ଦିନ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କ ଲାଗି କେନ୍ଦ୍ରିତ କରାଯାଇଛି । ଆଗାମୀ ୫ ବର୍ଷରେ କ’ଣ ବଡ ନିର୍ଣ୍ଣୟ ନିଆଯିବ ଏହାର ରୂପରେଖ ବି ପ୍ରସ୍ତୁତ କରାଯାଇଛି ।

ମୋଦୀ କହିଛନ୍ତି ମୁଁ ସଂକଳ୍ପ ନେଇଛି କି ସମାଜରେ ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କ ସଂରକ୍ଷଣକୁ କାହାକୁ ବି ଛଡାଇ ନେବାକୁ ଦେବି ନାହିଁ । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ମୋର ଏହି ସଂକଳ୍ପକୁ ନେଇ ବିଶେଷ କ୍ରୋଧିତ ଅଛନ୍ତି । ଏମାନଙ୍କ ପୁରା ଟ୍ରାକ୍ ରେକର୍ଡ ରହିଛି ଏହି ଗୋଷ୍ଠୀଙ୍କ ସଂରକ୍ଷଣ ଛଡାଇ ନେବା । ଏମାନେ ସମ୍ବିଧାନ ଓ ବାବା ସାହେବ ଆମ୍ବେଦକରଙ୍କ ଭାବନାକୁ ଅପମାନ କରୁଛନ୍ତି । ଏମାନେ ଏହି ଲୋକଙ୍କ ଅଧିକାର ଛଡାଇ ନେଇ ଏହା କେବଳ ମୁସଲମାନମାନଙ୍କୁ ଦେବାକୁ ଚାହୁଁଛନ୍ତି । ମୋଦୀ ସେମାନଙ୍କ ଏହି ଷଡଯନ୍ତ୍ର ଉପରୁ ପରଦା ଉଠାଇ ଦେଇଛନ୍ତି । ଏଥିପାଇଁ ସେମାନଙ୍କର ମୋ ଉପରେ ଏତେ ରାଗ ।

ମୋଦୀ କହିଛନ୍ତି ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହିଁ ହେବ । ଗତ ୧୦ ବର୍ଷ ଭିତରେ ଭାରତ ଯେଉଁ ବିକାଶ କରିଛି ତାହା ଅଦ୍ଭୁତପୂର୍ବ । ଆଜି ଯେତେବେଳେ ପଞ୍ଜାବ ଓ ଅନ୍ୟ ରାଜ୍ୟର ଲୋକମାନେ ବିଦେଶ ଯାଉଛନ୍ତି ସେତେବେଳେ ସେମାନେ ନିଜେ ଦେଖୁଛନ୍ତି ଭାରତୀୟଙ୍କ ଇଜ୍ଜତ କେତେ ବଢିଯାଇଛି । ଯେତେବେଳେ ଦେଶରେ ଏକ ଶକ୍ତିଶାଳୀ ସରକାର ଗଠନ ହୁଏ ସେତେବେଳେ ବିଦେଶୀ ସରକାର ବି ଆମର ଦମ୍ ଦେଖିଥାନ୍ତି ।

Get real time updates directly on you device, subscribe now.