ବଡ଼ ଧରଣର ବିମାନ ଦୁର୍ଘଟଣା; ଲ୍ୟାଣ୍ଡିଂ ପରେ ହଠାତ ହେଲା ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି
ସିଓଲ: ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସ୍ଥାନୀୟ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ୍ ୧୭୫ ଯାତ୍ରୀଙ୍କ ସହ ୬ କ୍ରୁ ସଦସ୍ୟ ଥିଲେ ।
ବିମାନ ଲ୍ୟାଣ୍ଡିଂ ପରେ ରନୱେ ଟ୍ରାକ୍ ବାହାରୁ ଯାଇ ବିମାନ ବନ୍ଦର ପାଚେରୀକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଅନୁସାରେ ରବିବାର ସକାଳ ୯ଟା ପାଖାପାଖି ହୋଇଥିଲା । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହଥିବାବେଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବିମାନବନ୍ଦର ପାଚେରୀକୁ ଧକ୍କା ଦେଲା:
ସ୍ଥାନୀୟ ସମାଚାର ଏଜେନ୍ସି ଅନୁଯାୟୀ ରବିବାର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନ ‘Jeju Air’ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ କ୍ରୁ ସଦସ୍ୟଙ୍କ ସହ ମୋଟ୍ ୧୮୧ ଯାତ୍ରୀ ଥିଲେ । ଥାଇଲ୍ୟାଣ୍ଡରୁ ଫେରିଥିବା ଏହି ବିମାନ ଲ୍ୟାଣ୍ଡି ପରେ ରନୱେ ଟ୍ରାକରୁ ବାହାରି ବିମାନବନ୍ଦର ପାଚେରୀକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିସ୍ଫୋରଣ ହେବା ସହ ଚାରି ଆଡ଼େ କଳା ଧୂଆଁ ବ୍ୟାପି ଯାଇଥିଲା ।
ଫସିଛନ୍ତି ଅନେକ ଯାତ୍ରୀ:
ଏହି ବିମାନ ଦୁର୍ଘଟଣା ବିଷୟରେ ଖବର ପାଇ ମୁଆନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହି ଦୁର୍ଘଟଣାରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏବେବି ଅନେକ ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି ।