fbpx

କାଳ ସାଜିଲା କୁହୁଡ଼ି, ସଡ଼କ ଦୁର୍ଘଟଣାରେ ୫ ମୃତ

AAKASH

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ୩ଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ଅନ୍ୟପଟେ ଏପରି ସଡ଼କ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି । ପ୍ରଥମେ କାମ ନଗରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ବିବାହିତ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବିହିର ଗାଓଁରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପରଦୀ ଅଂଚଳରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ସବୁ ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ସୂତ୍ରରୁ ପ୍ରକାଶ ।

ସୂଚନାରୁ ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ସବୁ ଦୁର୍ଘଟଣା ଘଟିଥିଲା । ଦେବାନନ୍ଦ ଉକେ(୪୩)ଏବଂ ତାଙ୍କ ପତ୍ନୀ ସୋନୀ ଉକେ(୩୯)ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ କାମ ନଗର ଅଂଚଳରେ ଏକ ଦୃତଗାମୀ ଟ୍ରକ୍ ତାଙ୍କ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୩୪ ବର୍ଷୀୟ ରାହୁଲ ସନ୍ତୋଷ ରାଉତ ଏବଂ ୪୨ ବର୍ଷୀୟ ଲକ୍ଷ୍ମଣ ଦାଦାଜୀ ଘିଙ୍ଘରେ ଏକ ମିନି ଟ୍ରକ ଯୋଗେ କେଉଁଆଡ଼େ ଯାତ୍ରା କରୁଥିଲେ । ଏହି ସମୟରେ ବିହିର ଗାଓଁ ଅଂଚଳରେ ତାଙ୍କ ମିନି ଟକ୍ରକୁ ଏକ ଦୃତଗାମୀ ଟ୍ରକ ଧକ୍କା ମାରିବା କାରଣରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ୨୦ ବର୍ଷୀୟ ଆକାଂକ୍ଷା ପାଟିଲ ମୋଟୋରସାଇକେଲ ଯୋଗେ କେଉଁ ଆଡ଼େ ଯାଉଥିଲେ । ସେହି ସମୟରେ ପରଦୀ ଅଂଚଳରେ ଅନ୍ୟ ଏକ ବାଇକ୍ ଆରୋହୀ ଯୁବକ ଜଣଙ୍କର ସନ୍ତୁଳନ ବିଗିଡ଼ିଯିବା କାରଣରୁ ଆକାଂକ୍ଷା ନିଜକୁ ରକ୍ଷା କରିବା ଚେଷ୍ଟାରେ ବାଇକରୁ ପଡ଼ି ଗଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ରାତି ସମୟରେ ଘନ କୁହୁଡ଼ି ଯୋଗୁଁ ସମସ୍ତ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ତେବେ ଏହି ୩ଟି ମାମଲାରେ ପୋଲିସର ଛାନଭିନ୍ ଜାରି ରହିଛି ।

 

Get real time updates directly on you device, subscribe now.