ଏଟିଏମରୁ ଅତିରିକ୍ତ ଉଠାଣ ଉପରେ କେବେ ଓ କେତେ ଲାଗିବ ଶୁଳ୍କ ? ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: ମାଗଣା ଉଠାଣ ସୀମା ସମାପ୍ତ ହେବା ପରେ ୧ ମେ ଠାରୁ ଗ୍ରାହକମାନଙ୍କୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୨୩ ଟଙ୍କା ଦେବାକୁ ପଡିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କମାନଙ୍କୁ ୧ ମେରୁ ଟଙ୍କା ଉଠାଣ କଲେ ଶୁଳ୍କକୁ ୨ ଟଙ୍କା ବଢେଇ ପ୍ରତି ନେଣଦେଣ ୨୩ ଟଙ୍କା ଅସୁଲ ପାଇଁ ଶୁକ୍ରବାର ଅନୁମତି ଦେଇଛନ୍ତି। ଏହି ଶୁଳ୍କ ମାସକୁ ମିଳୁଥିବା ନିଶୁଳ୍କ ଉଠାଣ ସୀମା ସମାପ୍ତ ହେବା ପରେ ପ୍ରତି ଉଠାଣରେ ଆଦାୟ ହେବ।

ଗ୍ରାହକ ତାଙ୍କ ବ୍ୟାଙ୍କ ଏଟିଏମରୁ ମାସିକ ୫ଟି (ଆର୍ଥିକ ଓ ଅଣଆର୍ଥିକ ନେଣଦେଣ ସମେତ) ନିଶୁଳ୍କ ଉଠାଣ କରିପାରିବେ। ମହାନଗର ମାନଙ୍କରେ ମାସକୁ ୩ ଓ ଅନ୍ୟସ୍ଥାନରେ ୫ ନିଶୁଳ୍କ ନେଣଦେଣ କରିପାରିବେ। ଆରବିଆଇ ଏକ ସର୍କୁଲାରରେ କହିଛନ୍ତି ଯେ ନିଶୁଳ୍କ ନେଣଦେଣ ବ୍ୟତିରେକ ଗ୍ରାହକଙ୍କଠୁ ଅଧିକ ୨୩ଟଙ୍କା ଶୁଳ୍କ ନିଆଯାଇପାରେ। ଏହି ନୂଆ ନିୟମ ୧ ମେ ୨୦୨୫ରୁ ପ୍ରଭାବୀ ହେବ।

ବର୍ତ୍ତମାନ ଗ୍ରାହକଙ୍କ ଦ୍ୱାରା ନିଶୁଳ୍କ ନେଣଦେଣ ସୀମା ସମାପ୍ତ ହେବା ପରେ ପ୍ରତି ନେଣ ଦେଣ ନିମନ୍ତେ ୨୧ ଟଙ୍କା ଶୁଳ୍କ ଅସୁଲ କରାଯାଉଛି। ଆରବିଆଇ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଯଥା ଆବଶ୍ୟକ ପରିବର୍ତ୍ତନ ସହିତ ‘କ୍ୟାସ୍ ରିସାଇକ୍ଲର ମେସିନ’ (ନଗଦ ଜମା ନେଣଦେଣ ବ୍ୟତୀତ) ରେ କରାଯାଇଥିବା ନେଣ ଦେଣ ଉପରେ ମଧ୍ୟ ଲାଗୁ ହେବ।

ଅନ୍ୟପଟେ ଏଟିଏମ୍‌ରେ ଟଙ୍କା ଉଠାଇବା ଚାର୍ଜ ବଢ଼ାଇ ଦେଇଥିବାରୁ ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦେଶର ନାଗରିକମାନଙ୍କୁ “ଲୁଣ୍ଠନ” କରିବା ପାଇଁ ବ୍ୟାଙ୍କଗୁଡ଼ିକୁ “କଲେକ୍ସନ ଏଜେଣ୍ଟ” କରାଉଛି ବୋଲି ଶନିବାର କଂଗ୍ରେସ ଟାର୍ଗେଟ୍ କରିଛି। ଶୁକ୍ରବାର ଆରବିଆଇ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ ଉଠାଣ ଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦେବା ପରେ ଏଭଳି କଟାକ୍ଷ କରିଛି କଂଗ୍ରେସ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ଚାର୍ଜର ଏକ ତାଲିକା ଏକ୍ସରେ ପୋଷ୍ଟ କରିବା ସହିତ ଲେଖିଛନ୍ତି “ଦୁର୍ଭାଗ୍ୟବଶତଃ ମୋଦୀ ସରକାର ଆମ ବ୍ୟାଙ୍କଗୁଡ଼ିକୁ ‘କଲେକ୍ସନ ଏଜେଣ୍ଟ’ ବନାଇ ଦେଇଛନ୍ତି! ଏଟିଏମ୍ ଉଠାଣ ଚାର୍ଜ ମହଙ୍ଗା ହେବ।”