fbpx

ଯନ୍ତ୍ରଣାରେ ବିତୁଛି ମୃଦଙ୍ଗ ବାଦକଙ୍କ ଜୀବନ

ଗଞ୍ଜାମ: ଯନ୍ତ୍ରଣା ଭିତରେ ବିତୁଛି ପୁରସ୍କାର ପ୍ରାପ୍ତ ମୃଦଙ୍ଗ ବାଦକଙ୍କ ଜୀବନ । ପିଲାଟି ଦିନରୁ ଅର୍ଥାତ୍ ଦୀର୍ଘ ଚାଳିଶି ବର୍ଷ ଧରି ମୃଦଙ୍ଗ ବାଦନ କରି ଅଞ୍ଚଳ ବାସୀଙ୍କୁ ହରେ କୃଷ୍ଣ ହରେ ନାମ ସଂକୀର୍ତନ ମାଧ୍ୟମରେ ମନ୍ତ୍ରମୁଗ୍ଧ କରାଇଥିବା ମୃଦଙ୍ଗ ବାଦକ ଛାତି ଜନିତ ରୋଗରେ ପୀଡିତ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତ ରାଗପୁର ଗ୍ରାମର ମୃଦକ ବାଦକ କେଦାର ଦୋରାଙ୍କ କଥା । ସତେ ଯେମିତି କେଦାରଙ୍କ ପାଇଁ ନିର୍ଦ୍ଦୟ ପାଲଟିଯାଇଛନ୍ତି ଭଗବାନ । ଘର ଖଣ୍ଡେ ନାହିଁ ରହୁଛନ୍ତି ପଲସ୍ତରା ଖସିଯାଇଥିବା ଭଙ୍ଗା ଘରେ । ସେହି ଘରେ ନିଜ ଝିଅ ଗାୟତ୍ରୀ(୧୧) ଓ ପତ୍ନୀ ପିଦାମୀଙ୍କ ସହ ଚଳୁଛନ୍ତି କେଦାର । ଝିଅ ଗାୟତ୍ରୀ ମଧ୍ୟ ପିଲାଟି ଦିନରୁ ବିକଳାଙ୍ଗ ପ୍ରାୟ । ହାତ ଗୋଡ଼ ବଙ୍କା । ପାଠ ପଢ଼ିବାକୁ ଢ଼େର ଆଗ୍ରହ । କିନ୍ତୁ ଶାରୀରିକ ଅକ୍ଷମତା ବାଧକ ସାଜିଛି ପାଠପଢ଼ାରେ ।

ଅନ୍ୟପଟେ ମୃଦଙ୍ଗ ବଜାଇ ନିଜର ସାରା ଜୀବନ ଭଗବାନଙ୍କୁ ସମର୍ପି ଦେଇଥିବା କେଦାର ନିଜେ ଏବେ ଛାତି ଯନ୍ତ୍ରଣାରେ ଜର୍ଜରିତ । ଦୀର୍ଘ ଦିନ ହେବ ବିଭିନ୍ନ ମେଡିକାଲରେ ଝିଅ ଏବଂ ନିଜ ଚିକିତ୍ସାରେ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ହୋଇପଡ଼ିଛନ୍ତି ସର୍ବସ୍ୱାନ୍ତ । ଜମି ବାଡ଼ି ଖଣ୍ଡେ ବି ନାହିଁ । ରାସନ କାର୍ଡରେ ଗଣ୍ଡେ ଚାଉଳ ଯାହା ମିଳୁଛି । ଏପରି ପରିସ୍ଥିତିରେ ଅପେକ୍ଷା କେବଳ ସରକାରୀ ସହାୟତାକୁ । କେଦାରଙ୍କ ମୃଦଙ୍ଗ ବାଦନ ନିଶା ବଳରେ ବେଗୁନିଆପଡ଼ା ତଥା ଆଖପାଖ ଅଞ୍ଚଳରେ ପୁରାତନ କଳାକୁ ବଞ୍ଚାଇ ରଖିଛନ୍ତି କେଦାର । କେବଳ ସେତିକି ନୁହେଁ ୩୦୦ରୁ ଉଦ୍ଧ୍ୱର୍ କଳାକାରଙ୍କୁ ତିଆରି କରିଛନ୍ତି କେଦାର । ବାଣପୁର ସ୍ଥିତ ପଞ୍ଚୁଦୋଳ ପଡିଆରେ ମୃଦଙ୍ଗ ବାଦନ କରି ଗଜପତି ମହାରାଜାଙ୍କ ଠାରୁ ସମ୍ମାନୀତ ମଧ୍ୟ ହୋଇଛନ୍ତି ।

କିନ୍ତୁ ଏହି କଳାକାର ଆଜି ଅସହାୟ । ଶ୍ୱାସ ଜନିତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ । ଭଲରେ କଥା ମଧ୍ୟ ହୋଇପାରୁନାହାନ୍ତି । ଭଗବାନଙ୍କ ନାମ ସଂକୀର୍ତନ ପ୍ରଚାର କରୁ କରୁ ଭଗବାନ କେଦାରଙ୍କ ପ୍ରତି ନିର୍ଦୟ ହୋଇଗଲେ ତାହା ସହଜେ ଅନୁମେୟ । ସ୍ଵାମୀ କେଦାର, ଝିଅ ଗାୟତ୍ରୀଙ୍କ ଚିକିତ୍ସା କେମିତି ହେବ ସେ ନେଇ ଏବେ ଚିନ୍ତାରେ ପତ୍ନୀ ପିଦାମୀ । ଏନେଇ ଖଇରୀଖମା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକଙ୍କୁ ଯୋଗାଯୋଗ କରିବା ପରେ ସେ ତୁରନ୍ତ ବ୍ଲକ ପ୍ରଶାସନକୁ ଜଣାଇବା ସହ ସହାୟତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଜୀବନ କାଳ ମଧ୍ୟରେ କଳାକୁ ପ୍ରଚାର ପ୍ରସାର କରି ଉଜ୍ଜୀବିତ ରଖିଥିବା କେଦାରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ପ୍ରଶାସନ ପକ୍ଷରୁ ସହଯୋଗ ମିଳିବାର ଆଶା ବାନ୍ଧିଛନ୍ତି ପରିବାର ଓ ସ୍ଥାନୀୟ ବାସିନ୍ଦା ।

Get real time updates directly on you device, subscribe now.