fbpx

ଟପ୍-୫ରେ ଏଣ୍ଟ୍ରି କଲେ ଅକ୍ସର ପଟେଲ: ICC T-20 Rankingରେ ଟିମ ଇଣ୍ଡିଆର ଦାଦାଗିରି

ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ତରଫରୁ ଟି-୨୦ ରାଙ୍କିଙ୍ଗ ଜାରି ହୋଇଛି । ଏହି ତାଲିକାରେ ଟିମ ଇଣ୍ଡିଆର କ୍ରିକେଟରମାନଙ୍କୁ ମିଳିଛି ବଡ଼ ଫାଇଦା । ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ଅଲରାଉଣ୍ଡର ଅକ୍ସର ପଟେଲ ଏହି ତାଲିକାରେ ଦମଦାର ପ୍ରଦର୍ଶନ କରି ଉପର ସ୍ଥାନକୁ ଦଖଲ କରିଛନ୍ତି । ଏହାବ୍ୟତୀତ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ମଧ୍ୟ ଫାଇଦା ପାଇଛନ୍ତି । ଯଶସ୍ୱୀ ଜଏସ୍ୱାଲ ଟି-୨୦ କ୍ରିକେଟରେ ନିଜର ବେଷ୍ଟ ରାଙ୍କିଙ୍ଗରେ ପହଞ୍ଚିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକ ତାଙ୍କୁ ଟି-୨୦ ରାଙ୍କିଙ୍ଗରେ ବଡ଼ ଫାଇଦା ଦେଇଛି ।

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଯଶସ୍ୱୀ ଜଏସ୍ୱାଲ ଏବଂ ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ଏହି ରାଙ୍କିଙ୍ଗରେ ଖୁବ ଫାଇଦା ମିଳିଛି । ଯଶସ୍ୱୀ ୭ ସ୍ଥାନ ଉପରକୁ ଉଠି ଟପ୍-୧୦ରେ ଏଣ୍ଟ୍ରି ମାରି ସାରିଛନ୍ତି । ଟି-୨୦ କ୍ରିକେଟରେ ୭୩୯ ରେଟିଙ୍ଗ ସହ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଦଶତକୀୟ ଇନିଂସ ଖେଳି ସେ ଏହି ଉପହାର ପାଇଛନ୍ତି । ମାତ୍ର ୩୪ ବଲରୁ ୫ଟି ଚୌକା ଏବଂ ୬ଟି ଛକା ସହ ୬୮ ରନ୍ ସଂଗ୍ରହ କରିଥିଲେ । ଯାହାର ଫଳ ସ୍ୱରୂପ ତାଙ୍କ ଏହି ଉପହାର ପ୍ରାପ୍ତ ହୋଇଛି ।

ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ୭୬୩ ଅଙ୍କ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦମଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରଖିଛନ୍ତି ଷ୍ଟାର କ୍ରିକେଟର ବାବର । ତେବେ ୮୬୯ ପଏଣ୍ଟ ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଏହାପରେ ଇଂଲଣ୍ଡର ଫିଲ ସଲ୍ଟ(୮୦୨) ଦ୍ୱିତୀୟ ଏବଂ ପାକିସ୍ତାନର ମହମ୍ମଦ ରିଜୱାନ(୭୬୩) ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଷ୍ଟାର ଇଣ୍ଡିଆନ୍ ବ୍ୟାଟର ଋତୁରାଜ ଗାଏକ୍ୱାଡ ନବମ ସ୍ଥାନରେ ରହିଛନ୍ତି ।

ଟି-୨୦ କ୍ରିକେଟର ବୋଲିଂ ତାଲିକାରେ ଭାରତର ସ୍ପିନ ଅଲରାଉଣ୍ଡର ଅକ୍ସର ପଟେଲ ଏହି ତାଲିକାରେ ବାଜି ମାରିଛନ୍ତି । ଏହି ତାଲିକାର ଟପ୍-୫ ଖେଳାଳିଙ୍କ ମଧ୍ୟରେ ସେ ନିଜ ସ୍ଥାନ ପକ୍କା କରିଛନ୍ତି । ୬୬୭ ପଏଣ୍ଟ ସହ ସେ କ୍ୟାରିୟରର ପଞ୍ଚମ ସ୍ଥାନ ହାସଲ କରି ସର୍ବଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ୨ଟି ମ୍ୟାଚରୁ ୪ଟି ୱିକେଟ ନିଜ ନାମରେ କରିଛନ୍ତି । ତେବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଆଦିଲ ରାଶିଦ । ୱେଷ୍ଟଇଣ୍ଡିଜର ଅକିଲ ହୁସେନ୍ ୬୮୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ କବଜା କରିଥିବା ବେଳେ ଟିମ ଇଣ୍ଡିଆର ଅନ୍ୟତମ ଷ୍ଟାର ବୋଲର ରବି ବିଷ୍ଣୋଇ(୬୬୬) ଷଷ୍ଠ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.