ପୁରୁଷଙ୍କ ସୁରକ୍ଷା ପାଇଁ ଆଗକୁ ଆସିଲେ ବାବା ବଳିଆ, କହିଲେ- ପୁରୁଷ କମିଶନ ଗଠନର ଆବଶ୍ୟକତା ରହିଛି
କେବଳ ମହିଳା ନିର୍ଯାତିତ ହେଉନାହାନ୍ତି, ପୁରୁଷ ମଧ୍ୟ ଆଜିକାଲି ନିର୍ଯାତିତ ହେଉଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ମହିଳା କମିଶନ ରହିଛି । କିନ୍ତୁ ପୁରୁଷଙ୍କ ପାଇଁ କିଛି ନାହିଁ
ଭୁବନେଶ୍ୱର- ପୁରୁଷଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡିଲେ ବାବା ବଳିଆ । ପୁରୁଷଙ୍କ ସୁରକ୍ଷା ପାଇଁ ମଧ୍ୟ ଏକ କମିଶନର ଆବଶ୍ୟକତା ରହିଥିବା କହିଛନ୍ତି ବାବା । ଆବଶ୍ୟକ ପଡିଲେ ବାବା ପୁରୁଷ କମିଶନ ଗଠନ ଦାବିରେ ଦରକାର ହେଲେ ସୁପ୍ରିମ କୋର୍ଟ ଯିବେ ବୋଲି କହିଛନ୍ତି ।
ସମ୍ପ୍ରତ୍ତି ସମାଜରେ ଦେଖାଦେଉଥିବା ସାମାଜିକ ଜୀବନରେ ହେଉଥିବା ଅବକ୍ଷୟ ରୋକିବାକୁ ବାବା ବଳିଆ ବିରାଟ ନିଷ୍ପତ୍ତି ନେଇଥିବା ଏକ ସାମ୍ବାଦିକ ସମ୍ମୁଳନୀ କରି ପ୍ରକାଶ କରିଛନ୍ତି । ଏହି କାମ ଖୁବ ଶୀଘ୍ର ଆରମ୍ଭ କରିବେ ବୋଲି ବାବା କହିଛନ୍ତି ।
ବାବାଙ୍କ ଯୁକ୍ତି, କେବଳ ମହିଳା ନିର୍ଯାତିତ ହେଉନାହାନ୍ତି, ପୁରୁଷ ମଧ୍ୟ ଆଜିକାଲି ନିର୍ଯାତିତ ହେଉଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ମହିଳା କମିଶନ ରହିଛି । କିନ୍ତୁ ପୁରୁଷଙ୍କ ପାଇଁ କିଛି ନାହିଁ । ଯାହାର ଫାଇଦା କିଛି ମହିଳା ନେଉଛନ୍ତି । ମିଛ ମାମଲାରେ ସ୍ୱାମୀ ଓ ତାର ପରିବାରକୁ କଷ୍ଟ ଦେଉଛନ୍ତି ।
ଖାଲି ପୁରୁଷ କମିଶନ ନୁହେଁ, ପୁଅ ଓ ବୋହୂଙ୍କ ଦ୍ୱାରା ନିର୍ଯାତିତ ହୋଇ ଦୟନୀୟ ଜୀବନଯାପନ କରୁଥିବା ବୃଦ୍ଧ ବାପା, ମାଆଙ୍କ ପାଇଁ ପିତୃମାତୃ କିମିଶନ କରିବାକୁ ମଙ୍ଗଳବାର ବାବା ବଳିଆ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି, ଏହି କମିଶନ ସମ୍ପୃକ୍ତ ବର୍ଗର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବେ ।
ଫଳରେ ସମସ୍ତଙ୍କର ସମସ୍ତଙ୍କ ପ୍ରତି ସମ୍ମାନ ଓ ଭୟ ରହିବ । କେହି କାହାର ଶୋଷଣ କରି ପାରିବେ ନାହିଁ । ତେବେ ଦେଖିବାକୁ ରହିଲା ବାବାଙ୍କ ପୁରୁଷ କମିଶନ ଗଠନ ଦାବି କେବେ ପୂରା ହେବ ।
କାରଣ ପୂର୍ବରୁ ମଧ୍ୟ ପୁରୁଷ କମିଶନ ଗଠନ ପାଇଁ ସୁପ୍ରିମ କୋର୍ଟରେ ଅନେକ ଆବେଦନ ହୋଇଥିଲା । କିନ୍ତୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା ।