fbpx

ବାବରଙ୍କୁ ଲାଗିବ ଶକ୍ତ ଝଟକା! ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ନୂଆ ଅଧିନାୟକ ବାଛିପାରେ ପାକିସ୍ତାନ ବୋର୍ଡ

ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଟକ୍କର ଦେଇ କ୍ଲିନ୍ ସ୍ୱିପ୍ କରିବା ସହ ଟେଷ୍ଟ ସିରିଜ କବଜା କରିଛି ବାଂଲାଦେଶ । ସିରିଜରେ ଦୁଇଟି ଯାକ ମ୍ୟାଚ୍ ହାରିବା ପରେ ପାକିସ୍ତାନ୍ ଟିମ୍ ଏକ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଛି । ଏହାକୁ ନେଇ ପୂର୍ବତନ କ୍ରିକେଟର ଏବଂ ପାକିସ୍ତାନ ବୋର୍ଡ ମଧ୍ୟ ଅସନ୍ତୋଷ ଜାହିର କରିଛି । ତେଣୁ ଖୁବଶୀଘ୍ର ଦଳ ଏକ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି । ଦଳର ଅଧିନାୟକ ବାବର ଆଜମଙ୍କ ହାତରୁ ପୁଣିଥରେ ଅଧିନାୟକ ପଦ ଛଡ଼ାଇ ନେବା ପାଇଁ ଚିନ୍ତା କରିପାରେ ପାକିସ୍ତାନ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ପାକିସ୍ତାନ ଜଣେ ନୂଆ ଅଧିନାୟକ ଚୟନ କରିପାରେ ।

ତେବେ ବାବରଙ୍କ ହାତରୁ ନେତୃତ୍ୱ ଛଡ଼ାଇ ନେବାର ପ୍ରକୃତ କାରଣ ହୋଇପାରେ ତାଙ୍କର ଖରାପ ଫର୍ମ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ୨ଟି ମ୍ୟାଚ(୪ ଇନିଂସ)ରେ ମାତ୍ର ୬୪ ରନ୍ କରିବାରେ ସଫଳ ହୋଇଛନ୍ତି ବାବର । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଦିନିକିଆ ଏବଂ ଟି-୨୦ ଦଳରୁ ମଧ୍ୟ ନେତୃତ୍ୱ ଛାଡ଼ିବାକୁ ହୋଇପାରେ । ଖରାପ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ବାବରଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ଅଧିନାୟକ ଭାବରେ ଦାୟିତ୍ୱ ଦେଇପାରେ ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ଆସନ୍ତା ନଭେମ୍ବର ୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା ହୋଇପାରେ । ତେବେ ଏହି ତାଲିକାରେ ସାଥୀ ଖେଳାଳି ମହମ୍ମଦ ରିଜୱାନଙ୍କ ନାମ ସବୁଠୁ ଆଗରେ ରହିଛି । ବାବର ଦଳରୁ ବାଦ୍ ପଡ଼ିଲେ ନେତୃତ୍ୱ ହରାଇଲେ ମହମ୍ମଦ ରିଜୱାନଙ୍କୁ ନେତୃତ୍ୱ ପଦ ହସ୍ତାନ୍ତର କରିପାରେ ପାକିସ୍ତାନ ବୋର୍ଡ ।

ଗତ କିଛି ସିରିଜରେ ଲଗାତାର ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି ପାକ୍ ଅଧିନାୟକ ବାବର ଆଜମ । ଫଳରେ ସେ ବର୍ତ୍ତମାନ ଟେଷ୍ଟ ରାଙ୍କିଙ୍ଗ ତାଲିକାର ଟପ୍-୧୦ରେ ନିଜ ସ୍ଥାନ ମଧ୍ୟ ହରାଇ ସାରିଛନ୍ତି । ଘରୋଇ ମାଟିରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିଥିଲେ ବାବର । କିନ୍ତୁ ଏହି ସିରିଜରେ ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଛନ୍ତି ବାବର ଆଜମ୍ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୩୧ ଏବଂ ଦ୍ୱିତୀୟ ଇନିଂସରେ ୧୧ ରନ୍ କରି ପାଭିଲିୟନ୍ ଫେରିଛନ୍ତି । ତେବେ ଟେଷ୍ଟ ସିରିଜରେ ଏଭଳି ଦୁର୍ବଳ ପ୍ରଦର୍ଶନ ବାବରଙ୍କ ଦିନିକିଆ ଏବଂ ଟି-୨୦ କ୍ରିକେଟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

Get real time updates directly on you device, subscribe now.