fbpx

ମାଆ ଗର୍ଭରେ ଥିବା ଶିଶୁ ସ୍ୱାଦ ଓ ଗନ୍ଧ ବାରି ପାରୁଛି: ଅଲଟ୍ରାସାଉଣ୍ଡ ଶୁଟିଂ ବୈଜ୍ଞାନିକଙ୍କ ନିଦ ହଜାଇଲା

ନୂଆଦିଲ୍ଲୀ: ବହୁବର୍ଷ ପୂର୍ବେ ବୈଜ୍ଞାନିକମାନେ ଅନୁଭବ କରିଥିଲେ ଯେ, ମାତୃ ଗର୍ଭରେ ଥିବା ସମୟରେ ଶିଶୁଟି କୌଣସି ପ୍ରକାରର ସ୍ୱାଦକୁ ବାରି ପାରେ । କାରଣ ସେ ସମୟରେ ଶିଶୁଟି ସିଧାସଳଖ ଖାଦ୍ୟ ପାଇ ପାରିନଥାଏ । ଏପରି ସ୍ଥଳେ ଶିଶୁ ପାଖକୁ ପୋଷକ ତତ୍ତ୍ୱ ଆମ୍ନିଓଟିକ୍ ଫ୍ଲୁଡ ରୂପରେ ଯାଇଥାଏ । ଆଜି ପର୍ଯ୍ୟନ୍ତ କୌଣସି ରିସର୍ଚ୍ଚରୁ ସିଧାସଳଖ ଶିଶୁଙ୍କ ସ୍ୱାଦ ଓ ତା’ର ପ୍ରତିକ୍ରିୟାକୁ ନେଇ କିଛି ସ୍ପଷ୍ଟ କରାଯାଇନଥିଲା ।

ତେବେ ନିକଟରେ ଇଂଲଣ୍ଡର ବର୍ମିଂହାମ ସ୍ଥିତ ଏଷ୍ଟାନ ୟୁନିଭରସିଟିର ଗବେଷଣାତ୍ମକ ତଥ୍ୟ ସମସ୍ତଙ୍କୁ ତାଜୁବ କରି ଦେଇଛି । ଷ୍ଟଡି ମୁତାବକ, ଗର୍ଭରେ ବଢ଼ୁଥିବା ଛୁଆଟି ସ୍ୱାଦ ଓ ଗନ୍ଧ ବାରିପାରେ । ଏଥିପାଇଁ ୪ଡି ଅଲଟ୍ରାସାଉଣ୍ଡ ଟେକନିକର ଉପଯୋଗ କରାଯାଇଥିଲା । ଗର୍ଭରେ ଶିଶୁର ଚେହେରାର ଭାବ ବଦଳି ଯାଉଛି । ଯେତେବେଳେ ମା’ କିଛି ଖାଉଛି, ସେତେବେଳେ ଗର୍ଭସ୍ଥ ଶିଶୁର ଭାବଭଙ୍ଗୀ ପରିବର୍ତ୍ତନ ହୋଇଯାଉଛି । ଏହି ଭାବଭଙ୍ଗୀ ୪ଡି ଅଲଟ୍ରସାଉଣ୍ଡରେ ଶୁଟିଂ କରାଯାଇଥିଲା । ମାଆ ଖରାପ ଖାଇବା ସମୟରେ ଶିଶୁଟି ଖରାପ ଓ ଅଜବ ଭଙ୍ଗୀ ଦେଖାଇଥିଲା ।

ବୈଜ୍ଞାନିକମାନେ ଜଣେ ଗର୍ଭବତୀଙ୍କୁ ଗାଜର ଓ କଳା ପାଉଡରଯୁକ୍ତ କ୍ୟାପସୁଲ ଖାଇବାକୁ ଦେଇଥିଲେ । ଗାଜର ଖାଇବା ପରେ ଶିଶୁର ଚେହେରାରେ ହସ ଦେଖାଯାଇଥିଲା । ଅନ୍ୟପକ୍ଷରେ କ୍ୟାପସୁଲ ଖାଇବା ପରେ ଶିଶୁର ମୁହଁ କାନ୍ଦିବା ପରି ଦେଖାଯାଇଥିଲା । କ୍ୟାପସୁଲ ଖାଇବାର ୩୦ ମିନିଟ ପରେ ଶିଶୁର ଭାବଭଙ୍ଗୀ ଦେଖାଯାଇଥିଲା । ଅର୍ଥାତ ୩୦ ମିନିଟରେ କ୍ୟାପସୁଲ ମା’ ପେଟରେ ହଜମ ହେଉଥିଲା । ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶିଶୁର ଚେହେରା ସହିତ ପୂରା ଶରୀରର ମାଂସପେଶୀ ଉପରେ ପ୍ରଭାବ ପଡ଼ିଥାଏ । ଏହି ଷ୍ଟଡି ଭବିଷ୍ୟତରେ ଗର୍ଭରେ ବଢ଼ୁଥିବା ଶିଶୁଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାରେ ସହାୟତା କରିବ ।

Get real time updates directly on you device, subscribe now.