fbpx

ବିଧାୟକ ପ୍ରଶାନ୍ତଙ୍କୁ ଲାଗିଲା ଜବରଦସ୍ତ ଝଟକା: ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ, ପୁଣି ଥରେ ଯିବେ ଜେଲ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଚିଲିକା ବିଧାୟକଙ୍କୁ ଲାଗିଛି ଜବରଦସ୍ତ ଝଟକା । ପ୍ରଶାନ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ତେଣୁ ପୁଣି ଥରେ ଜେଲ ଯାଇପାରନ୍ତି ଚିଲିକା ବିଧାୟକ । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ପ୍ରଶାନ୍ତ ଗିରଫ ହୋଇଥିଲେ । ତେବେ ପ୍ରଶାନ୍ତ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଥିଲେ । ବର୍ତ୍ତମାନ ତାଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ ପ୍ରଶାନ୍ତ ପୁଣି ଥରେ ଜେଲ୍ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାରଣପୁର ବ୍ଲକ କାର୍ୟ୍ୟାଳୟ ନିକଟରେ ପ୍ରଶାନ୍ତ କିଛି ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ବିଜେପି କର୍ମୀଙ୍କର ଏକ ଶୋଭାଯାତ୍ରା ଚାଲିଥିବା ବେଳେ ବିଧାୟକ ତାଙ୍କ ଗାଡ଼ିକୁ ଭିଡ଼ ଭିତରକୁ ପୂରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସହ ମୋଟ ୨୫ ଜଣ ଲୋକ ଆହତ ହୋଇଥିଲେ । ବିଧାୟକଙ୍କ ଏହି କାର୍ୟ୍ୟକୁ ନେଇ ସେ ସମୟରେ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା ।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ପ୍ରଶାନ୍ତ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରଶାନ୍ତ ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ବାହାରିବା ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ପରେ ଏପ୍ରିଲ ୨୨ ତାରିଖରେ ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ମିଳିଥିଲା । ଜାମିନ୍ ଅବଧି ସମାପ୍ତ ହେବା ପରେ ଆତ୍ମସମର୍ପଣ କରିବାକୁ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Get real time updates directly on you device, subscribe now.