fbpx
BSKY
BJD SHG SKY
BJD MC SKY

ଦୃଷ୍ଟିବାଧିତ ମହିଳାଙ୍କ ଭଙ୍ଗା ଚାଳିଆ ଦେଖି ବାଲେଶ୍ୱର ଜିଲ୍ଲାପାଳଙ୍କୁ ତାଗିଦ୍ କଲେ ରାଜ୍ୟପାଳ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାପାଳଙ୍କୁ ରାଜ୍ୟପାଳ ତାଗିଦ୍ କଲେ। ଦୃଷ୍ଟିବାଧିତ ମହିଳାଙ୍କ ଭଙ୍ଗା ଚାଳିଆ ଦେଖିଲେ। କାହିଁକି ଘର ଦିଆଯାଇନି ବୋଲି ପ୍ରଶ୍ନ କଲେ। ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ତାଗିଦ୍ କଲେ ରାଜ୍ୟପାଳ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା, ନୀଳଗିରି ବ୍ଲକ୍ ମର୍ଦ୍ଦରାଜପୁର ଗାଁରେ। ବାଲେଶ୍ୱର ଗସ୍ତରେ ଯାଇ ରାଜ୍ୟପାଳ ରଘୁବର ଦାସ ନିଳଗିରି ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦରାଜପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିଥିବା ଘର ଗୁଡିକ ବୁଲି ଦେଖିଥିଲେ । ଏହି ସମୟରେ ରାଜ୍ୟପାଳଙ୍କର ନଜର ପଡିଥିଲା ଏକ ଭଙ୍ଗା ଚାଳିଆ ଉପରେ। ଯେଉଁ ଚାଳିଆ ଉପରେ ଏକ ପଲିଥିନ୍ ପଡିଥିଲା । ଆଉ ଏହା ଭିତରେ ରହୁଥିଲେ ଜଣେ ଦୃଷ୍ଟିବାଧିତ ମହିଳା। ଗାଁର ଅନ୍ନପୂର୍ଣ୍ଣା ପାତ୍ର ନାମ୍ନୀ ଜଣେ ବିଧବା ମହିଳାଙ୍କ ଏହି ଘରର ଅବସ୍ଥା ଦେଖି ରାଜ୍ୟପାଳ ରଘୁବର ଦାସ ଆଶ୍ଚର୍ଯ୍ୟ ହୋଇଥିଲେ । ଆଉ ଅନ୍ନପୂର୍ଣ୍ଣାଙ୍କୁ ଡାକି ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

ଏଭଳି ଜଣେ ଗରିବ ଦୃଷ୍ଟିବାଧିତ ମହିଳାଙ୍କୁ କାହିଁକି ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇନାହିଁ ବୋଲି ସାଙ୍ଗରେ ଥିବା ବାଲେଶ୍ୱର ଜିଲ୍ଲାପାଳଙ୍କୁ କୈଫିୟତ୍ ମାଗିଥିଲେ ରାଜ୍ୟପାଳ।  ଆଉ ଏହା ଦେଖି ଜିଲ୍ଲାପାଳ ମଧ୍ୟ ସାଙ୍ଗେ ସାଙ୍ଗେ ଅନ୍ନପୂର୍ଣ୍ଣାଙ୍କୁ ପଚାରିଥିଲେ କି ଲିଷ୍ଟରେ ତାଙ୍କର ନାଁ ଅଛି କି ନାହିଁ। ହେଲେ ଏହି ସମୟରେ ରାଜ୍ୟପାଳ ଜିଲ୍ଲାପାଳଙ୍କୁ ତାଗିଦ୍ କରି କହିଥିଲେ କି ସେ ବିଚାରୀ ଗରିବ ମହିଳା ଜଣକ କେମିତି ଜାଣିବେ ତାଙ୍କ ନାଁ ତାଲିକାରେ ଅଛି କି ନାହିଁ। ସେଇଟା ଆପଣମାନେ ବୁଝିବା ଦରକାର କି ଜଣେ ହିତାଧିକାରୀ କାହିଁକି ତାଙ୍କ ହକ୍‌ରୁ ବଞ୍ଚିତ ରହିବେ। ଆଉ ରାଜ୍ୟପାଳଙ୍କ ତାଗିଦ୍ ପରେ ସାଙ୍ଗେ ସାଙ୍ଗେ ଜିଲ୍ଲାପାଳ ମଧ୍ୟ ନିଳଗିରି ବିଡିଓଙ୍କୁ ଅନ୍ନପୂର୍ଣ୍ଣାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଆବାସ ଯୋଜନାରୁ ବଞ୍ଚିତ ଥିବା ଲୋକମାନଙ୍କ ଘର ବୁଲି ଦେଖିଥିଲେ ରାଜ୍ୟପାଳ । ଆଉ ସେମାନେ ଖୁବ୍ ଶୀଘ୍ର ଘର ପାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଖାଲି ସେତିକି ନୁହେଁ, ମର୍ଦ୍ଦରାଜପୁର ନୋଡାଲ ଉ ପ୍ରା ବିଦ୍ୟାଳୟ ପରିସର ରାଜ୍ୟପାଳ ବୁଲି ଦେଖିବା ସହ ପିଲାମାନଙ୍କୁ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ।

ପରେ ସ୍କୁଲ ପଡ଼ିଆରେ , ସ୍ଥାନୀୟ ଚାଷୀମାନଙ୍କୁ ନେଇ ଆୟୋଜିତ ସଭାରେ, ସେମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଆଉ କେମିତି ସହଜ ଉପାୟରେ ସରକାରୀ ଯୋଜନାରୁ ଉପକୃତ ହୋଇପାରିବେ ସେ ବାବଦରେ ଆଲୋଚନା କରିବା ସହ ଅଧିକ ରାସାୟନିକ ସାର ପ୍ରୟୋଗ ନ କରି ପ୍ରାକୃତିକ ଖତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ, ବେଟି ପଢାଓ” ନାରା ର ଅର୍ଥ ଲୋକଙ୍କୁ ବୁଝାଇବାକୁ ଯାଇ ରାଜ୍ୟପାଳ କହିଥିଲେ, କି ନାରୀ ସଶକ୍ତ, ଶିକ୍ଷିତ ହେଲେ, ଦୁଇ ପୀଢ଼ି ଶିକ୍ଷିତ ଓ ସଂସ୍କାରୀ ହୋଇପାରିବ। ଯାହା ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନର ସ୍ବପ୍ନ ପୂରଣରେ ସହାୟକ ହେବ ।

Get real time updates directly on you device, subscribe now.