fbpx

ଓଡ଼ିଶାରେ ଲୁଚିଛନ୍ତି ବାଂଲାଦେଶୀ ଆତଙ୍କବାଦୀ? ରାଜ୍ୟବାସୀଙ୍କ ବଢ଼ିଲା ଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଲକାତାରେ ୩ ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀ ଅଟକ ପରେ ଓଡ଼ିଶାକୁ ଭୟ ଘାରିଛି । ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କର ଓଡ଼ିଶା ଲିଙ୍କ ଥିବା ସୂଚନା ଦିଆଯାଇଛି । ଏହି ଆତଙ୍କବାଦୀମାନେ ଜମାତ-ଉଲ ମୁଜାହିଦ୍ଦିନ ସଂଗଠନର ବୋଲି କୁହାଯାଉଛି । ତେବେ ଅନ୍ୟ କିଛି ଆତଙ୍କବାଦୀମାନେ ଓଡ଼ିଶାର କିଛି ସ୍ଥାନରେ ଲୁଚି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ କୋଲକାତା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ସହ ରାଜ୍ୟ ଗୋଇନ୍ଦା ବିଭାଗ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି ।

ତେବେ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାକୁ ୧୦ ଜଣ ଓ ଅନ୍ୟମାନେ ବିହାର ଓ ଜମ୍ମୁ କଶ୍ମୀରକୁ ଯାଇଛନ୍ତି । ତେବେ କୋଲକତାତାରେ ୩ ଜଣଙ୍କୁ ଗିରଫ କରାଯିବା ପରେ ଅନ୍ୟ ଆତଙ୍କବାଦୀଙ୍କୁ ନେଇ ଉଠିଛି ପ୍ରଶ୍ନ । କୁଆଡ଼େ ଗଲେ ଅନ୍ୟ ଆତଙ୍କବାଦୀ, କେଉଁଠି ଅଛନ୍ତି ଏବେ ସେମାନେ? ତେବେ ଅଟକ ୩ ଜଣଙ୍କ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ସେମାନେ ରହୁଥିବା ଭଡ଼ାଘର ମାଲିକଙ୍କୁ ପୋଲିସ ପଚରାଉଚରା କରିଛି । ବାଂଲାଦେଶରେ ବେଆଇନ ଘୋଷିତ ହୋଇଥିବା ଏହି ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଅଧିକ ତଥ୍ୟ ଯୋଗାଡ଼ରେ ଲାଗି ପଡ଼ିଛି । ୩ ସନ୍ଦିଗ୍ଧଙ୍କୁ ପୋଲିସ କୋର୍ଟରେ ହାଜର କରି ୧୪ ଦିନିଆ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ ଆତଙ୍କବାଦୀ ଲୁଚିଥିବା ସନ୍ଦେହ ଦୃଢ଼ୀଭୂତ ହେଉଥିବାରୁ ଜନସାଧାରଣ ସତର୍କ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.