fbpx

ବ୍ୟାଙ୍କ କର୍ମଚାରୀଙ୍କର ଦରମା ୧୫ ପ୍ରତିଶତ ବଢ଼ିବ! ସପ୍ତାହକୁ ୫ ଦିନ କାମ, ୨ ଦିନ ଛୁଟି, ପ୍ରସ୍ତାବ ଦେଲା IBA

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଓ ଅନ୍ୟାନ୍ୟ ବେନିଫିଟ୍ ଘୋଷଣା କରାଯାଇଛି । ନିକଟରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ସବୁକିଛି ଠିକଠାକ୍ ହୁଏ, ତେବେ ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ ଦୁଇ ଦିନ ଛୁଟି ପାଇବେ ଓ ୫ ଦିନ କାର୍ୟ୍ୟ କରିବେ ।

ସୂଚନା ମୁତାବକ ବ୍ୟାଙ୍କ କର୍ମଚାରୀଙ୍କର ୧୫ ପ୍ରତିଶତ ବେତନ ବୃଦ୍ଧି ନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପ୍ରସ୍ତାବ ଆଣିଛି । କର୍ମଚାରୀଙ୍କର ଦରମା ବୃଦ୍ଧି ସହିତ ଅନ୍ୟାନ୍ୟ ପରିବର୍ତ୍ତନ କରିବାକୁ ବ୍ୟାଙ୍କ ୟୁନିୟନମାନେ ଦାବି କରୁଛନ୍ତି । କର୍ମଚାରୀମାନଙ୍କର ଦରମା ବୃଦ୍ଧି, ସପ୍ତାହକୁ ୫ ଦିନ କାମ, ୨ଦିନ ଛୁଟି ଆଦି ପ୍ରସ୍ତାବ ଦିଆଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବ୍ୟାଙ୍କ କର୍ମଚାରୀମାନେ ଭଲ କାର୍ଯ୍ୟ କରିବା ସହିତ ସରକାରୀ ଯୋଜନାକୁ ଆଗକୁ ନେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଇବିଏ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବେତନ ସମୀକ୍ଷା ପ୍ରସଙ୍ଗ ଗତ ବର୍ଷ ନଭେମ୍ବର ମାସରୁ ଅଟକି ରହିଛି । ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ କରିବାକୁ ଗତ ଜୁଲାଇ ମାସରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ଆଇବିଏ ସହିତ ଆଲୋଚନା କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.