fbpx

ସମାଜସେବୀଙ୍କ ପାର୍ଥିବ ଶରୀର ମେଡିକାଲକୁ ଦାନ କଲେ ପରିବାର

ଯାଜପୁର(ଓଡ଼ିଶା ଭାସ୍କର ବ୍ୟୁରୋ): ସମସ୍ତଙ୍କୁ ଆପଣାର କରିନେବାର ଅଦ୍ଭୂତ କଳା ରହିଥିଲା ତାଙ୍କର । ସର୍ବଦା ହସହସ ରହୁଥିଲେ ଆଉ କିଏ ତାଙ୍କୁ ଦେଖା କରିବାକୁ ଗଲେ ଭାରୀ ଖୁସି ହୋଇଯାଉଥିଲେ । ସମାଜସେବା ପାଇଁ ତାଙ୍କର ରହିଥିଲା ସ୍ୱତନ୍ତ୍ର ପରିଚୟ । ଏଥିସହ ବାଡ଼ିବଗିଚା ସମ୍ଭାଳିବାରେ ଖୁବ୍ ଆନନ୍ଦ ପାଉଥିବା ସମ୍ମାନନୀୟ ବ୍ୟକ୍ତି ଜଣଙ୍କ ପୁସ୍ତକ ପ୍ରେମୀ ମଧ୍ୟ ଥିଲେ । ଆଉ ଅନେକ ପ୍ରକାଶିତ ନିଜ ଲେଖା ଓ ବିଭିନ୍ନ ଖବର କାଗଜ ସାଇତି ରଖୁଥିଲେ । ଏଭଳି ନିଆରା ବ୍ୟକ୍ତି ବଂଶୀଧର ପଣ୍ଡା ଆଉ ନାହାନ୍ତି । ଦଶରଥପୁର ବ୍ଲକ୍ ବାଲିଗଣ୍ଡ-କୁଆଁରପୁର ଗାଁର ବଂଶୀଧର ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ତାଙ୍କ ବିୟୋଗରେ ଶୋକସନ୍ତପ ରହିଥିବା ପରିବାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ବଂଶୀଧରଙ୍କ ମୃତଦେହକୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ଦାନ କରାଯାଇଛି ।

ଗତ କିଛିଦିନ ହେଲା ବଂଶୀଧର ଅସୁସ୍ଥ ଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ସେ ଆଖି ବୁଜି ଦେଇଥିଲେ । ତେବେ ପୂର୍ବରୁ ସେ ମୃତ୍ୟୁ ପରେ ଶରୀର ଦାନ ପାଇଁ ଇଚ୍ଛାପତ୍ର କରିଥିଲେ । ଏହି ମହାନ କାମ ପାଇଁ ସେ ମୃତ୍ୟୁ ପରେ ମଧ୍ୟ ପାଉଛନ୍ତି ସବୁଆଡୁ ପ୍ରଶଂସା । ଗଛ ଲଗାଇବାରେ ଉଦାହରଣ ସୃଷ୍ଟି କରି ସେ ପାଇଥିଲେ ପ୍ରକୃତିବନ୍ଧୁ ପୁରସ୍କାର । ସେହିପରି ଶରୀର ଦାନ ପାଇଁ ଦଧୀଚି ସମ୍ମାନପ୍ରାପ୍ତ । ଖାଲି ସେତିକି ନୁହେଁ ଗାଁ ସ୍କୁଲକୁ ଜମିଦାନ କରିବା ଓ ଅନେକ ସମାଜ ମଙ୍ଗଳ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ଅବର୍ତ୍ତମାନରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Get real time updates directly on you device, subscribe now.