fbpx

ବ୍ରାହ୍ମଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ, ରାଜ୍ୟ କ୍ୟାବିନେଟ ଦେଲା ଅନୁମୋଦନ, ୩୩ ମାସ ମଧ୍ୟରେ ସରିବ କାର୍ଯ୍ୟ

ଭୁବନେଶ୍ୱର: ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ” ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ” ପ୍ରକଳ୍ପର ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ନିମନ୍ତେ ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ବ୍ଲକର ଖଲପାଳ ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଉକ୍ତ ପ୍ରକଳ୍ପରେ ପ୍ରକଳ୍ପ ନିର୍ମାଣ ପରେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ରକ୍ଷଣାବ୍ୟକ୍ଷଣ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୨୧୯,୫୦,୦୦,୦୦୦/ – (ଦୁଇ ଶହ ଉଣେଇଶି କୋଟି ପଚାଶ ଲକ୍ଷ ଟଙ୍କା) ଓ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବ୍ୟକ୍ଷଣ ନିମିତ୍ତ ୧,୫୦,୦୦,୦୦୦/- (ଏକ କୋଟି ପଚାଶ ଲକ୍ଷ ଟଙ୍କା) ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରକଳ୍ପ ଟି ତେତିଶ (୩୩) ମାସ ମଧ୍ୟରେ ସମ୍ପୂର୍ଷ କରିବାର ଲକ୍ଷ୍ୟ ରହିଛି। ଉକ୍ତ ପ୍ରକଳ୍ପଟି ଢେଙ୍କାନାଳ ଜିଲ୍ଲାସ୍ଥିତ ପରଜଙ୍ଗ ବ୍ଲକର ୨୨ଟି ଗ୍ରାମ, ପରଜଙ୍ଗ ସହର, ସାରଙ୍ଗ ଏବଂ ଅନୁଗୁଳ ଜିଲ୍ଲାସ୍ଥିତ ତାଳଚେର ବ୍ଲକର ୨୩ ଟି ଗ୍ରାମ, ଡେରା ଓ ତାଳଚେର ସହରର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ। ଏତଦବ୍ୟତୀତ ଉକ୍ତ ଜଳାଶୟଟି ମାଛ ଚାଷ, ପଶୁଧନ ପାଳନ କାର୍ଯ୍ୟ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବ।

 

Get real time updates directly on you device, subscribe now.