fbpx

ବିଜୟ ସହ ଅବସର ନେଲେ ପେସ୍ ବୋଲର ବସନ୍ତ ମହାନ୍ତ, ରଣଜୀ ଟ୍ରଫିରେ ବେଙ୍ଗଲକୁ ପରାସ୍ତ କଲା ଓଡ଼ିଶା

କୋଲକାତା: ସ୍ଥାନୀୟ ଇଡେନ୍ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଏ’ ଗ୍ରୁପ୍ ପର୍ଯ୍ୟାୟ ଲିଗ୍ ମ୍ୟାଚ୍‌ରେ ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଛି ଓଡ଼ିଶା। ଓଡ଼ିଶାର ପ୍ରଥମ ଇନିଂସରେ ୨୬୫ ରନ
କରିଥିବା ବେଳେ ବେଙ୍ଗଲ ମାତ୍ର ୧୦୦ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଲୋଅନ ହେବା ପରେ ବେଙ୍ଗଲ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ ହରାଇ ୨୨୦ ରନ କରିଥିବା ବେଳେ ଚତୁର୍ଥ ତଥା ଶେଷ ଦିନ ମୋଟ ୨୭୬ ରନ୍‌ରେ ସୀମିତ ହୋଇଯାଇଥିଲେ।

ଅଭିମନ୍ୟୁ ଈଶ୍ୱରନ ଶତକ ହାସଲ କରିଥିଲେ ମଧ୍ୟ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୩୦୦ ରନ ସୀମାରେଖା ଅତିକ୍ରମ କରି ପାରିନଥିଲା। ଓଡ଼ିଶା ୧୧୨ ରନର ଟାର୍ଗେଟକୁ ୨୨.୨ ଓଭରରେ ହାସଲ କରି ବିଜୟୀ ହୋଇଥିଲା। ରଣଜୀ ଟ୍ରଫିର ଚଳିତ ଏଲିଟ ଗ୍ରୁ-ଏ ରେ ବେଙ୍ଗଲ ପ୍ରଥମଥର ପାଇଁ ହାରିଥିବା ବେଳେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ତେବେ ବେଙ୍ଗଲ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶାର ସଫଳ ବୋଲର ସୁନୀଲ ରାଉଳ ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ୯୬ ରନ୍ ବିନିମୟରେ ୬ ୱିକେଟ ଅକ୍ତିଆର କରି ଓଡ଼ିଶାର ବିଜୟ ପାଇଁ ଉଲ୍ଲେଖନୀୟ ଅବଦାନ ଦେବା ସହ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ଘୋଷିତ ହୋଇଛନ୍ତି।

ସେହିପରି ଓଡ଼ିଶା ଦଳର ପୁରୁଖା ପେସ୍ ବୋଲର ବସନ୍ତ ମହାନ୍ତି ଏହି ବିଜୟ ମ୍ୟାଚ୍ ସହିତ ଅବସର ନେଇଛନ୍ତି। ଏହା ତାଙ୍କର ଶେଷ ମ୍ୟାଚ୍ ହୋଇଥିବାରୁ ଉଭୟ ଦଳର ଖେଳାଳି ତାଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲେ। ବସନ୍ତ ମହାନ୍ତି ପ୍ରଥମ ଇନିଂସରେ ଗୋଟିଏ ଓ ଦ୍ୱିତୀୟ ଇନିଂସରେ ୨ ୱିକେଟ ଅକ୍ତିଆର କରିଥିଲେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ, ରଣଜୀ ଟ୍ରଫି ଜୀବନ ଆରମ୍ଭ କରିବା ଅବସରରେ ସେ ବେଙ୍ଗଲର ପୂର୍ବତନ ଖେଳାଳି ମନୋଜ ତିୱାରୀଙ୍କୁ ଆଉଟ କରି ପ୍ରଥମ ୱିକେଟ ହାସଲ କରିଥିଲେ। ସେହିପରି ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ମଧ୍ୟ ମନୋଜ ତିୱାରୀ (୫୨) ବସନ୍ତ ମହାନ୍ତି ତାଙ୍କୁ ଆଉଟ କରିଥିଲେ।

ମ୍ୟାଚ୍ ପୂର୍ବରୁ ମନୋଜ ତିୱାରୀଙ୍କୁ ଆଉଟ କରିବା ପାଇଁ କଥା ପ୍ରସଙ୍ଗରେ ବସନ୍ତ ମହାନ୍ତି କହିଥିବାବେଳେ ବାସ୍ତବ କ୍ଷେତ୍ରରେ ସେ ଏହାକୁ ସତ୍ୟରେ ପରିଣତ କରିବା ଦିଗରେ ସଫଳ ହୋଇଛନ୍ତି। ଏପରି ନିଆରା କୀର୍ତ୍ତିମାନ ପ୍ରତିଷ୍ଠା କରିବାରେ ବସନ୍ତ ସମ୍ଭବତଃ ପ୍ରଥମ ଖେଳାଳି ବୋଲି ବିବେଚନା କରାଯାଉଛି। ଏହି ବିଜୟ ସହ ଓଡ଼ିଶା ଟିମ୍ ବରିଷ୍ଠ ଖେଳାଳି ବସନ୍ତ ମହାନ୍ତିଙ୍କୁ ବିଦାୟ ଜଣାଇଛି। ଦୀର୍ଘ ୨୦ ବର୍ଷ ଧରି ଓଡ଼ିଶା ପାଇଁ କ୍ରିକେଟ ଖେଳି ଆସୁଥିବା ଦ୍ରୁତ ବୋଲର ବସନ୍ତ ମହାନ୍ତି ପୂର୍ବ ମ୍ୟାଚ୍‌ରେ ନିଜ କ୍ୟାରିଅରର ୪୦୦ତମ ୱିକେଟ ପୂରଣ କରିଥିଲେ।

Get real time updates directly on you device, subscribe now.