fbpx
BJD SKY
BJD SKY

ସବୁ ଖୋଲା ମେଲା, ଢିଲା ହେଲେ ପ୍ରାଣ ଗଲା! ଜାଣନ୍ତୁ କଣ କହୁଛନ୍ତି ସାମାଜିକ କର୍ମୀ…

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହା ବିପତ୍ତିକୁ ସାମ୍ନା କରିବାର ପ୍ରାୟ ୨ ବର୍ଷ ବିତିଗଲାଣି । କଲବଲ ହୋଇସାରିଲେଣି ଆମେ । କିନ୍ତୁ ଦ୍ୱିତୀୟ ତରଙ୍ଗର ଦୁର୍ଭାଗ୍ୟ ନହଟୁଣୁ ପୁଣି ତୃତୀୟର ଦ୍ୱାରଦେଶରେ ଆମେ । ସବୁରି ମନରେ ଚିନ୍ତା କେମିତି ରକ୍ଷା ପାଇବା? ତେବେ ନିଜେ ସତର୍କ ହେବା ସହ ପରିବେଶକୁ ସଚେତନତାର ବାର୍ତ୍ତା ଦେବା ଛଡ଼ା ବାଟ କିଛି ନାହିଁ ।

ସୂଚନା ଅନୁସାରେ, ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏବଂ ଲୋକଙ୍କ ଜୀବନ ଜୀବିକାକୁ ଲକ୍ଷ୍ୟ ରଖି ସରକାର କରୋନା କଟକଣାକୁ ଆବଶ୍ୟକ ଅନୁସାରେ କୋହଳ କରିଛନ୍ତି । କିନ୍ତୁ ସବୁକିଛି ଖୋଲା ମେଲା ହେବା ପରେ ଟିକେ ବି ଢିଲା ହୋଇଗଲେ ସବୁ ଗଲା ବୋଲି ମତ ପ୍ରକାଶ ପାଇଛି । ସେପଟେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ କଡ଼ା ସତର୍କ କରାଯାଇଛି । ତୃତୀୟ ତରଙ୍ଗ ପାଖେଇ ଆସୁଛି ଏବଂ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଶ୍ଚିତ ଭାବେ ଆଶୁ ପଦକ୍ଷେପ ନେବା ସହ ନିହାତି ସତର୍କ ରୁହନ୍ତୁ ବୋଲି କୁହାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ତୃତୀୟ ତରଙ୍ଗ ମୁକାବିଲା ନେଇ ଆହ୍ୱାନ ଦେଇସାରିଛନ୍ତି । ଖାଲି ସେତିକି ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ବିଶ୍ୱ ତୃତୀୟ ଲହରର ପ୍ରାରମ୍ଭିକ ପର୍ଯ୍ୟାୟରେ ପହଞ୍ଚି ସାରିଛି । ତେଣୁ ଲୋକେ ଗହଳି ନକରି ସବୁ ନିୟମ ମାନିବା ଦରକାର ।

ତେବେ ଅମାନିଆକୁ ମନାଇବ କିଏ? ନିଜେ ସତର୍କ ନହେଲେ ସବୁ ଉଦ୍ୟମ ପାଣିରେ ପଡ଼ିବା ସାର ହେବ । ଟିକିଏ ସୁଯୋଗ ମିଳିଲେ ଲୋକେ ପୂରା ଢିଲା ହୋଇଯାଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱର ମଧ୍ୟ ଅନୁରୂପ ଭାବେ ଚିନ୍ତାର କାରଣ ପାଲଟିଛି । ଖୋର୍ଦ୍ଧା ଜିଲ୍ଲା ସମ୍ପ୍ରତି ସରକାରଙ୍କ ଘୋଷଣା ଅନୁସାରେ କାଟାଗୋରି-ବି ତାଲିକା ଭୁକ୍ତ ରହିଛି । ସଂକ୍ରମଣ ହାରକୁ ଲକ୍ଷ୍ୟ ରଖି ସରକାର ବାଧ୍ୟ ହୋଇ ଏଠାରେ ନିୟମ ଟିକେ ଅଧିକ କଡ଼ା କରିଛନ୍ତି । ରାଜଧାନୀ ସମେତ କଟକରେ ମଧ୍ୟ ଲୋକଙ୍କ ଭିଡ଼ ବହୁତ । ସାରା ରାଇଜର ଲୋକେ ବିଭିନ୍ନ କାରଣରୁ ଏଠାରେ ଭିଡ଼ ଜମାଇ ଥାଆନ୍ତି । ତେବେ ସାମାଜିକ ଦୂରତା ବଜାୟ ରଖିବା ସହ ଠିକ୍ରେ ମାସ୍କ ପିନ୍ଧିବାକୁ ଲୋକେ ଭୁଲିଗଲେ ତୃତୀୟ ଲହର ଆମ ପାଇଁ ସାଂଘାତିକ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଠାରେ ମନେ ରଖିବା ଉଚିତ୍ ଯେ ଅଗଷ୍ଠ ମାସ ଶେଷ ସୁଦ୍ଧା କରୋନାର ତୃତୀୟ ତରଙ୍ଗ ଆସିଯିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇସାରିଲେଣି ।

ସାମାଜିକ କର୍ମୀ ତଥା ଯୁବ ସ୍ତମ୍ଭକାର ରୁଦ୍ର ରଥଙ୍କ କହିବା ହେଲା ଯେ, ଆମେ ଭୋଗିଥିବା ଅବସ୍ଥାରୁ କିଛି ଶଖିଲା ଭଳି ମନେ ହେଉନି । କରୋନା ଭଳି ସଂକ୍ରମଣ ସମ୍ପୂର୍ଣ୍ଣ ବିଶ୍ୱରୁ ହଟିଯିବ, ଏଭାବନା ରଖିବା ଭୁଲ । ଏହା ପୂର୍ବରୁ ଅନେକ ସଂକ୍ରମଣ ବା ମହାମାରୀ ଆସିଛି, ରହିଛି କିନ୍ତୁ ଆମେ ସତର୍କ ହେବା ଦ୍ୱାରା ତାକୁ ପ୍ରତିହତ କରିପାରିଛୁ । ଧରନ୍ତୁ ହଇଜା, ଏଥିରେ ଆଉ ପୂର୍ବ ଭଳି ଲୋକେ ମରଣ ମୁହଁରେ ପଡୁନାହାନ୍ତି । କାରଣ, ଲୋକେ ସତର୍କ ହେବା ସହ ଆବଶ୍ୟକ ପ୍ରତିଶେଷଧକ ବାହାରିଗଲା । ତେଣୁ କରୋନା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଔଷଧ ବା ଟିକା କିଛି ବାହାରିବା ଯାଏଁ ଆମକୁ ପୂର୍ଣ୍ଣ ସତର୍କ ହେବାକୁ ପଡ଼ିବ । ଅନ୍ୟଥା, ପ୍ରଥମ – ଦ୍ୱିତୀୟ ଭଳି ତୃତୀୟ ତରଙ୍ଗରେ ଆମକୁ ସାଂଘାତିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଶ୍ରୀ ରଥ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.