fbpx

ସାବଧାନ! ଘନକୁହୁଡି ପାଇଁ ହୋଇପାରେ ଦୁର୍ଘଟଣା, ସତର୍କ ରହିବାକୁ ଏସ୍‌ଆରସି ପକ୍ଷରୁ ପରାମର୍ଶ ଜାରି

AAKASH

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ ହେଉଛି। ଘନକୁହୁଡ଼ି ଆସ୍ତରଣ ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି। ଏହି ଘନକୁହୁଡ଼ି ପାଇଁ ଏଇ କିଛି ଦିନ ହେଲାଣି ରାଜ୍ୟରେ ଏତେ ପରିମାଣରେ ଶୀତ ମଧ୍ୟ ଅନୁଭୂତ ହେଉନାହିଁ । ଗଲା ମକର ସଂକ୍ରାନ୍ତି ପରେ ରାଜ୍ୟରେ ଘନକୁହୁଡ଼ି ଦୃଶ୍ୟମାନ ହେଉଛି। କୁହୁଡ଼ି ପ୍ରଭାବ ଯୋଗୁଁ ଅନେକ ବିମାନ ଏବଂ ଟ୍ରେନ ଯାତାୟାତରେ ବିଳମ୍ବ ଘଟୁଛି। ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହା ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ପାଣିପାଗ ବିଭାଗର ପକ୍ଷରୁ ଏହି ସୂଚନା ମିଳିବା ପରେ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) କୁହୁଡି ପାଇଁ ସତର୍କ ରହିବାକୁ ପରାମର୍ଶ ଜାରି କରିଛନ୍ତି। ୨୦ ତାରିଖରେ କିଛି ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ରହିଛି। ଏଥିରେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କଟକ ସମେତ ଅନ୍ୟ କିଛି ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ଥିବା ବେଳେ ୨୧ ତାରିଖରେ ଦକ୍ଷିଣ ଓଡ଼ିଶା, କନ୍ଧମାଳ, ସୋନପୁର, ଅନୁଗୁଳ ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି।

ସେହିପରି ୨୨ ତାରିଖରେ ଖୋର୍ଦ୍ଧା, କଟକଟ, ନୟାଗଡ଼, ପୁରୀ, ଗଂଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଘନକୁହୁଡ଼ି ହେବାର ଆଶଙ୍କା ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ଏସ୍‌ଆରସି ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି କରିଛନ୍ତି। ଆଗାମୀ ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି। ତେବେ ଘନକୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ଏଣୁ ଦୁର୍ଘଟଣା ଏଡ଼ାଇବା ପାଇଁ ଏସ୍‌ଆରସି ପରିବହନ ଓ ପୁଲିସ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.