fbpx

ଆମ ଦେଶରେ ନଡା ଜଳା ଯାଉଥିବା ବେଳେ ଚୀନ୍‌, ଜାପାନ ପରି ଦେଶରେ ଏଥିରୁ ପ୍ରସ୍ତୁତ ଇନ୍ଧନରେ ଚାଲୁଛି ବିଏମଡବ୍ଲ୍ୟୁ ଓ ମର୍ସିଡିଜ୍‌; କିପରି ଜାଣନ୍ତୁ

ନୂଆଦିଲ୍ଲୀ:ଭାରତରେ ନଡା ଜଳିବା ଏବେ ପ୍ରଦୂଷଣ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । ବିଶେଷକରି ଶୀତଦିନେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଚାଷୀମାନେ ଧାନ କାଟିବା ପରେ ଏହି ସମୟରେ ଜମିରେ ରହିଯାଇଥିବା ନଡା ଜଳାଇଥାନ୍ତି ଯାହା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଥାଏ । ତେବେ ଏହି ନଡା ଆମ ପାଇଁ ସମସ୍ୟା ପାଲଟି ଯାଇଥିବା ବେଳେ ଜାପାନ, ଚୀନ୍ ପରି ବିଶ୍ୱର ୬୨ ଦେଶ ଲାଗି ଲାଭଦାୟକ ସାବ୍ୟସ୍ତ ହୋଇଛି । ତେବେ ନଡାରୁ ମିଳୁଥିବା ଏହି ଫାଇଦା ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହା କାହିଁକି ଆମ ଦେଶରେ ପୋଡା ଯାଇଥାଏ ।

କୃଷକ ନୂଆ ଫସଲ ଲାଗି ଖାଲି କ୍ଷେତ ପ୍ରସ୍ତୁତ କରିବା ଲାଗି ଜମିରେ ରହିଯାଇଥିବା ନଡାରେ ନିଆଁ ଲଗାଇ ଦେଇଥାଏ । ଏହାଦ୍ୱାରା ଜମି ଶୀଘ୍ର ଖାଲି ହୋଇଯାଏ ଓ ଏଥିଲାଗି କୌଣସି ଅର୍ଥ ବି ଖର୍ଚ୍ଚ କରିବାକୁ ପଡେ ନାହିଁ । କିନ୍ତୁ ଏହାଦ୍ୱାରା ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ ଯାହା ଲୋକଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଏକ ଟନ୍ ନଡା ଜଳାଇବା ଦ୍ୱାରା ୧୫୦୦ କି.ଗ୍ରା କାର୍ବନ ଡାଇଅକ୍ସାଇଡ୍‌, ୩ କିଗ୍ରା ପାର୍ଟିକୁଲେଟ୍ ମ୍ୟାଟର, ୬୦ କିଗ୍ରା କାର୍ବନ ମୋନୋକ୍ସାଇଡ୍ ନିର୍ଗତ ହୋଇଥାଏ । ଏହି ଗ୍ୟାସ୍ କାରଣରୁ ଲୋକମାନେ ଫୁସଫୁସ୍‌, ହୃଦରୋଗ, ଦୃଷ୍ଟି ଶକ୍ତି ଜନିତ ସମସ୍ୟାର ଶିକାର ହୋଇଥାନ୍ତି ।

ଆମର ପଡୋଶୀ ଦେଶ ଚୀନ୍‌, ବାଙ୍ଗଲାଦେଶ ଓ ଇଣ୍ଡୋନେସିଆରେ ମଧ୍ୟ ବହୁମାତ୍ରାରେ ଧାନ ଅମଳ ହୋଇଥାଏ । ଏହା ବ୍ୟତିତ ଜାପାନ, ଥାଇଲାଣ୍ଡ, ମ୍ୟାଲେସିଆ ସହିତ ବହୁ ଦେଶ ମଧ୍ୟ ଧାନ ଅମଳ କରିଥାନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ଏହିସବୁ ଦେଶ ନଡା ସମସ୍ୟାକୁ କିପରି ସାମ୍ନା କରୁଛନ୍ତି କି ଏହିସବୁ ଦେଶରେ କାହିଁକି ଏହାକୁ ନେଇ କୌଣସି ସମସ୍ୟା ଉପୁଜୁ ନାହିଁ । କାରଣ ସେମାନେ ନଡାର ଏପରି ଉପଯୋଗ କରୁଛନ୍ତି ଯାହା ସେମାନଙ୍କୁ କ୍ଷତି ପରିବର୍ତ୍ତେ ଲାଭ ପହଞ୍ଚାଉଛି । ଚୀନ୍ ୨୦ ବର୍ଷ ତଳେ ନଡା ଜଳାଇବା ଉପରେ କଠୋର ନିୟମ ଲାଗୁ କରିଛି । ଚୀନର କିଛି ପ୍ରାନ୍ତରେ ନଡାରୁ ବିଜୁଳି ପ୍ରସ୍ତୁତ କରାଯାଉଛି । ଜାପାନରେ ଏହି ନଡାକୁ ପଶୁମାନଙ୍କୁ ଚାରା ଭାବରେ ଖାଇବାକୁ ଦିଆଯାଏ ।

ବହୁ ଦେଶରେ ଏଥିରୁ ଖତ ପ୍ରସ୍ତୁତ କରି ଚାଷରେ ବ୍ୟବହାର କରାଯାଉଛି । କିଛି ଦେଶରେ ନଡାରୁ ପେଟ୍ରୋଲର ବିକଳ୍ପ ବାୟୋ ଇଥେନାଲ ପ୍ରସ୍ତୁତ କରି ବିଏମଡବ୍ଲ୍ୟୁ ଓ ମର୍ସିଡିଜ୍ ପରି ଗାଡିରେ ଇନ୍ଧନ ଭାବରେ ବ୍ୟବହାର କରାଯାଉଛି । ବହୁ ଦେଶରେ ଏହାର ରିସାଇକ୍ଲିଙ୍ଗ ମଧ୍ୟ କରାଯାଉଛି । ଥାଇଲାଣ୍ଡ, ଇଣ୍ଡୋନେସିଆ , ମ୍ୟାଲେସିିଆ ପରି ଦେଶରେ ଏହି ନଡା ଉପରେ ଛତୁ ଚାଷ କରାଯାଉଛି ।

Get real time updates directly on you device, subscribe now.