ନୂଆଦିଲ୍ଲୀ,୧୯ ।୪: ଆଜିକାଲି ଏକ ହ୍ୱାଟ୍ସଆପ୍ ମେସେଜ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ୱାଟ୍ସଆପକୁ ପିଙ୍କ୍ ବା ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ ରହୁଛି । ଯଦି ଆପଣଙ୍କ ନିକଟକୁ ବି ଏପରି କିଛି ମେସେଜ ଆସୁଛି, ତେବେ ସାବଧାନ୍ ରୁହନ୍ତୁ । ମେସେଜରେ ଦିଆଯାଇଥିବା ଲିଙ୍କରେ କ୍ଳିକ ନକରିବାକୁ ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କାରଣ ଲିଙ୍କକୁ କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନ୍ ହ୍ୟାକ୍ ହେବ ଓ ଆପଣ ହ୍ୱାଟ୍ସଆପ ବ୍ୟବହାର କରିବାରେ ଅସମର୍ଥ ହେବେ । ତେବେ ଆସନ୍ତୁ ଜାଣିବା ଏଭଳି ସମସ୍ୟାରୁ କିଭଳି ରକ୍ଷା ପାଇପାରିବେ…
ତେବେ ଭାଇରାଲ ମେସେଜରେ କୁହାଯାଉଛି ଯେ, ଲିଙ୍କରେ କ୍ଲିକ୍ କରିବା ଦ୍ୱାରା ହ୍ୱାଟ୍ସଆପ ଗୋଲାପୀ ହୋଇଯିବ ଓ ଏଥିରେ କିଛି ନୂଆ ଫିଚର୍ସ ଯୋଡିହେବ । ଏହାକୁ ହ୍ୱାଟ୍ସଆପର ଅଫିସିଆଲ ଅପଡେଟ୍ ବୋଲି କୁହାଯାଉଛି । ଏନେଇ ସାଇବର ସୁରକ୍ଷା ବିଶେଷଜ୍ଞ ରାଜଶେଖର ରାଜହରିଆ ସୋସିଆଲ ମିଡିଆରେ କହିଛନ୍ତି ଯେ, ‘ହ୍ୱାଟ୍ସଆପ୍ ପିଙ୍କକୁ ନେଇ ସାବଧାନ୍ ରୁହନ୍ତୁ । ଏପିକେ ଡାଉନଲୋଡ ଲିଙ୍କ ସହିତ ହ୍ୱାଟ୍ସଆପ ଗ୍ରୁପରେ ଭାଇରସ୍ ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି ।’ ଏହା ସହ ସେ ପରାମର୍ଶ ଦେଇ କହିଛନ୍ତି ଯେ, ହ୍ୱାଟ୍ସଆପ ପିଙ୍କ୍ ନାମରେ କୌଣସି ବି ଲିଙ୍କକୁ କ୍ଲିକ କରନ୍ତୁ ନାହିଁ । ଲିଙ୍କକୁ କ୍ଲିକ କରିବା ଦ୍ୱାରା ମୋବାଇଲର ବ୍ୟବହାର କରିବା କଷ୍ଟକର ହୋଇଯିବ ।
ଲିଙ୍କ ମାଧ୍ୟମରେ ହ୍ୟାକରମାନେ ଫୋନ୍ ଭିତରକୁ ଯାଇ ଫଟୋ, ଏସଏମଏସ, କଣ୍ଟାକ୍ଟ ଇତ୍ୟାଦି ଚୋରି କରିପାରନ୍ତି ବୋଲି ସାଇବର ସିକ୍ୟୁରିଟି ସହ ଜଡିତ କମ୍ପାନୀ ଭୋୟାଗେର ଇନଫୋସେକର ନିର୍ଦ୍ଦେଶକ ଜିତେନ ଜୈନ୍ କହିଛନ୍ତି । ଆପଣଙ୍କୁ ଯଦି କୌଣସି ସନ୍ଦେହଜନକ ମେସେଜ ବା ଇ-ମେଲ ଆସିଛୁ, ତେବେ କ୍ଲିକ୍ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଯାଞ୍ଚ କରନ୍ତୁ ।