Whatsappରେ ଭିଡିଓ କଲ୍ ପ୍ରତି ସାବଧାନ୍! ସବୁ ଲୁଟିନେବ ସାଇବର ଠକ! କେମିତି ବଞ୍ଚିବେ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ଠକେଇ ଏବଂ ଲୁଟ ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି ଲୁଟେରା । ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ଠକି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ସେମାନଙ୍କର ଏହି ଲୁଟ୍ ପାଇଁ ଏବେ ଲୁଟେରା ହ୍ୱାଟ୍ସଆପକୁ ଟାର୍ଗେଟ କରୁଛନ୍ତି । ପୃଥିବୀର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ହ୍ୱାଟ୍ସଆପ୍ ମଧ୍ୟ ଏବେ ସାଇବର କ୍ରିମିନାଲଙ୍କ ଲୁଟିବାର ନୂଆ ମାଧ୍ୟମ ପାଲଟିଯାଇଛି । ହ୍ୱାଟ୍ସଆପରେ ଭିଡିଓ କଲ୍ କରିବା ୟୁଜରଙ୍କ ପାଇଁ ବିପଦ ସାଜିପାରେ । ଏହି ଭିଡିଓ କଲ୍ ଜରିଆରେ ୟୁଜରଙ୍କ ଆକାଉଣ୍ଟରେ ଥିବା ସବୁତକ ଟଙ୍କା ଚଳୁ କରି ଦେଇପାରିବେ ଲୁଟେରା । ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରିବେ?

ବର୍ତ୍ତମାନ ୟୁଜରଙ୍କ ଲୋକପ୍ରିୟ ହ୍ୱାଟ୍ସଆପ୍ ମଧ୍ୟ ସୁରକ୍ଷିତ ହୋଇନାହିଁ । ଏହା ମାଧ୍ୟମରେ ବି ଲୋକଙ୍କୁ ଲୁଟିବାର ବାଟ କରି ସାରିଛନ୍ତ ଲୁଟେରା । ତେଣୁ ଅଜଣା ବ୍ୟକ୍ତି ବା ଅଜଣା ନମ୍ବରରୁ ହ୍ୱାଟ୍ସଆପରେ ଆସୁଥିବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ । ଯଦି କୌଣସି ଅଜଣା ବ୍ୟକ୍ତି ସହ ଭିଡିଓ କଲ୍ ଜରିଆରେ କତା ହେଉଛନ୍ତି, ତେବେ ତାଙ୍କ ସହ ଭୁଲରେ ମଧ୍ୟ ନିଜ ସ୍କ୍ରିନ ସେୟାର କରନ୍ତୁ ନାହିଁ । ପ୍ରାୟତଃ ଲୋକେ ଅଜଣା ନମ୍ବରରୁ ଆସୁଥିବା ଫୋନ କଲର ଜବାବ ଦେଇଥାନ୍ତି । ଯାହା ଆପଣଙ୍କ ପାଇଁ ବିପଦ ସାଜିପାରେ । ତେବେ ୟୁଜରଙ୍କ ଏହି ଭୁଲ ଏବଂ ଖରାପ ଅଭ୍ୟାସର ଫାଇଦା ଉଠାଉଛନ୍ତି ସାଇବର ଲୁଟେରା ।

ସେହିପରି ସମସ୍ତ ସୋସିଆଲ ମିଡିଆ ଆପ୍ ପାଇଁ ଷ୍ଟଙ୍ଗ ପାସୱାର୍ଡ ବ୍ୟବହାର କରିପାରିବେ ୟୁଜର । ସମସ୍ତ ଆକାଉଣ୍ଟ ପାଇଁ ଗୋଟିଏ ପାସୱାର୍ଡ ମଧ୍ୟ ରଖନ୍ତୁ ନାହିଁ । ଏହାଦ୍ୱାରା ଗୋଟିଏ ଆକାଉଣ୍ଟ ହ୍ୟାକ ହେବା ମାତ୍ରେ ଆପଣଙ୍କର ଅନ୍ୟ ସମସ୍ତ ଆକାଉଣ୍ଟ ମଧ୍ୟ ହ୍ୟାକ ହେବାର ସମ୍ଭାବନା ବୃଦ୍ଧି ପାଏ । ଏହି ଅଭ୍ୟାସ ଆପଣଙ୍କୁ ବିଭିନ୍ନ ସ୍କାମରୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ ।

ହ୍ୱାଟ୍ସଆପକୁ ସୁରକ୍ଷିତ ରଖିବା ପାଇଁ ‘ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ’ ୟୁଜ୍ କରନ୍ତୁ । ଏହା ଆପଣଙ୍କ ଆକାଉଣ୍ଟର ସୁରକ୍ଷାକୁ ଆହୁରି ମଜବୁତ କରିଥାଏ । ଏହାସହିତ ନିଜ ଫୋନରେ ଆଣ୍ଟି-ଭାଇରସ ସଫ୍ଟଓୟାର ଇନଷ୍ଟଲ କରନ୍ତୁ ଏବଂ ଏହାକୁ ଲଗାତାର ଅପଡେଟ କରନ୍ତୁ ।

ହ୍ୱାଟ୍ସଆପରେ ନିଜକୁ ପୋଲିସ କିମ୍ବା ସରକାରୀ କର୍ମଚାରୀ ବୋଲି ପରିଚୟ ଦେଇପାରନ୍ତି ସ୍କାମର୍ସ । ଭିଡିଓ କଲ୍ କରି ୟୁଜରଙ୍କୁ ସେମାନଙ୍କ ପର୍ସନାଲ ଡାଟା ମାଗିପାରନ୍ତି । କିନ୍ତୁ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ସେୟାର ନ କରିବା ଉଚିତ୍ । ଏହାଦ୍ୱାରା ଆପଣ ନିଜକୁ ସ୍କାମରୁ ରକ୍ଷା କରିପାରିବେ ।