fbpx
BSKY
BJD SHG SKY
BJD YOUTH SKY

ଝିଅର ଜିଦ୍ ପୂରଣ କରିବାକୁ ଯାଇ ବାପା ହେଲା ଅକର୍ମଣ୍ୟ, ନଡିଆ ଗଛରୁ ପଡି ଭାଙ୍ଗିଲା ମେରୁଦଣ୍ଡ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ଝିଅର ଅଳି ରକ୍ଷା କରିବାକୁ ଯାଇ ଜଣେ ବାପା ଆଜି ଅକର୍ମଣ୍ୟ ହୋଇଯାଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ବାଲିପାଟଣା ଥାନା ଅନ୍ତର୍ଗତ ମହୁଖଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏହିଗ୍ରାମର ଗଣେଶ ମୁଖି ସରସ୍ୱତୀ ପୂଜା ଦିନ ନିଜ କୁନି ଝିଅର ଜିଦ୍‌ ପାଇଁ ପଇଡ଼ ତୋଳିବା ପାଇଁ ଏକ ନଡ଼ିଆ ଗଛରେ ଚଢ଼ି ଥିଲେ ମାତ୍ର ଦୁର୍ଭାଗ୍ୟକୁ ସେହି ଗଛରୁ ତଳକୁ ଖସି ପଡ଼ିବାରୁ ତାଙ୍କର ମେରୁଦଣ୍ଡ ଭାଙ୍ଗିବା ସହିତ ଗୋଟେ ଗୋଡ଼ ଏବଂ ଗୋଟେ ହାତ ଭାଙ୍ଗି ଯାଇଛି। ଫଳରେ ସେଇଦିନ ଠାରୁ ସେ ଅକର୍ମଣ୍ୟ ହୋଇ ପଡିଛନ୍ତି । ଜମିବାଡ଼ି ନଥିବା ଗଣେଶ ପୂର୍ବରୁ ଗୁଜୁରାଟ ରେ ଦାଦନ ଖଟି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏବେ ରୋଜଗାର ହରାଇ ନିଜର ଚିକିତ୍ସା ବି କରାଇ ପାରୁନାହାନ୍ତି । ଗ୍ରାମାବାସୀମାନେ ଯାହା କିଛି ଚାନ୍ଦା ଭେଦା କରି ତାଙ୍କୁ ସାହାଯ୍ୟ କରୁଛନ୍ତି । ସେପଟେ ଫନି ବାତ୍ୟା ସମୟରୁ ଘର ଭାଙ୍ଗି ଯାଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇନାହାନ୍ତି । ଦୁର୍ଭାଗ୍ୟକୁ ସ୍ତ୍ରୀ ମଧ୍ୟ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ଏପରି ଅବସ୍ଥାରେ ନିଜର ଦୁଇଟି ନାବାଳକ ପିଲା ସହିତ ପରିବାର ଚଳିବ କେମିତି। ତେଣୁ ଏହି ଅସହାୟ ପରିବାରକୁ ସରକାର୍‌ ସହାୟ ହୁଅନ୍ତୁ ବୋଲି ଗ୍ରାମବାସୀ ମାନେ ଗୁହାରି କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ ଗଣେଶଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି ତାଙ୍କ ଫୋନ୍‌ ନମ୍ୱର୍‌ ୮୪୮୦୭୨୯୫୮୮ରେ ଯୋଗାଯୋଗ କରିବାକୁ ଅନୁରୋଧ ।

Get real time updates directly on you device, subscribe now.