ମଜୁରୀ କରି ସ୍ତ୍ରୀର କୋଚିଂ ଫି ଭରିଲା ସ୍ବାମୀ, ଶଶୂର ଜମି ବିକିଲେ…ସରକାରୀ ଶିକ୍ଷକ ହେବା ମାତ୍ରେ ସ୍ତ୍ରୀ କହିଲା- “ତମେ କିଏ” ?

ମଜୁରୀ କରି ସ୍ତ୍ରୀକୁ ପଢାଇଲା ସ୍ବାମୀ । ଏବେ ପତ୍ନୀ ସରକାରୀ ଶିକ୍ଷୟିତ୍ରୀ ହେବା ପରେ, ସେ ତାଙ୍କ ସ୍ବାମୀଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି।

ରାଜସ୍ଥାନ: ୟୁପିର ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ପରି ସମାନ ମାମଲା ପୁଣି ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ଜିଲ୍ଲାରେ । ଏଠାରେ ଜଣେ ବ୍ୟକ୍ତି ବିବାହ ପରେ କଠିନ ପରିଶ୍ରମ କରି ତାଙ୍କ ସ୍ତ୍ରୀଙ୍କୁ ପଢାଇ ଲେଖାଇ ଶିକ୍ଷିତ କଲେ ଏବଂ ତାଙ୍କ ସ୍ତ୍ରୀଙ୍କ ଇଚ୍ଛା ଅନୁଯାୟୀ BSTC  କୋର୍ସ ବି କରାଇଲେ। ଏବେ ପତ୍ନୀ ସରକାରୀ ଶିକ୍ଷୟିତ୍ରୀ ହେବା ପରେ, ସେ ତାଙ୍କ ସ୍ବାମୀଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଜିଲ୍ଲାର ଭୁସାୱର ଥାନା ଅଞ୍ଚଳର ସଲେମପୁର ଖୁର୍ଦ ଗାଁର। ଏଠାରେ ରହୁଥିବା ମୋତି ଲାଲ ଜାଟଭ, ତାଙ୍କ ପୁଅ ଅନୁପ କୁମାରଙ୍କୁ ୧୪ ନଭେମ୍ବର ୨୦୨୧ରେ ନାଗଲା ହାଭେଲିର ବାସିନ୍ଦା ପଙ୍କଜ କୁମାରୀଙ୍କ ସହିତ ବିବାହ କରାଇଥିଲେ। ବିବାହ ପରେ, ତାଙ୍କ ସ୍ତ୍ରୀଙ୍କ ଇଚ୍ଛା ଅନୁଯାୟୀ, ସ୍ୱାମୀ ତାଙ୍କୁ ମଜୁରୀ କରି ପାଇସା ଆଣି ପାଠ ପଢାଇଥିଲେ । ଏପରିକି କୋଚିଂ ପାଇଁ ୧୦୫୦୦ ଟଙ୍କାର ଏକ ମୋବାଇଲ୍ ଫୋନ୍ ମଧ୍ୟ ପାଇଲେ।

ସେପଟେ ତାଙ୍କ ଶଶୂର ବୋହୂକୁ ପଢାଇବା ପାଇଁ ନିଜ ଜମିବାଡ଼ି ବି ବିକ୍ରି କରି ଦେଇଥିଲେ । ହେଲେ ଅନୁପ କୁମାରଙ୍କ ପତ୍ନୀ ଜଣେ ସରକାରୀ ଶିକ୍ଷୟିତ୍ରୀ ହେବା ପରେ ତାଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି। ପୀଡିତ ସ୍ୱାମୀ ଏନେଇ ଏକ ଅଭିଯୋଗ ଦାଖଲ କରି ଜିଲ୍ଲା କଲେକ୍ଟରଙ୍କ ନିକଟରେ ଆବେଦନ କରିଛନ୍ତି।

ଚାକିରି ପାଇବା ପରେ ସ୍ତ୍ରୀ ବଦଳିଗଲେ

ସ୍ତ୍ରୀ କହିଥିଲେ ଯେ ପାଠପଢ଼ା ପରେ ଯେତେବେଳେ ସେ କିଛି ବନିଯିବେ, ସେ ତାଙ୍କ ପରିବାରର ଯତ୍ନ ନେବେ, ଘରର ଅବସ୍ଥା ସୁଧୁରିବ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ପ୍ରଥମ ଲେବଲ  ୨୦୨୩ ଶିକ୍ଷକ ପରୀକ୍ଷାରେ ପାସ୍ କରିବା ପରେ ସେ ଏକ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ହେଲେ। କିନ୍ତୁ ସରକାରୀ ଚାକିରି ପାଇବା ମାତ୍ରେ ପତ୍ନୀଙ୍କ ବ୍ୟବହାର ପରିବର୍ତ୍ତନ ହେବା ଆରମ୍ଭ ହେଲା। ସେ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କଲେ ଏବଂ ଚାକିରି ପାଇବା ପରେ, ୨ ମଇ, ୨୦୨୫ ରେ, ପତ୍ନୀ ତାଙ୍କ ସହିତ ରହିବାକୁ ମନା କରିଦେଲେ।

ସେପଟେ ଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ମହିଳା ଜଣକ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ଏନେଇ ଏହାର ତଦନ୍ତ ହେବା ଉଚିତ ବୋଲି ପୀଡ଼ିତ ସ୍ବାମୀ ଅନୁପ କୁମାର ଅଭିଯୋଗ କରିଛନ୍ତି ।