fbpx

ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର: ସକାଳେ ଦେଇଥିଲେ ବିଜେପିରୁ ଇସ୍ତଫା

ଓଡ଼ିଶା ଭାସ୍କର: ବିଜେଡ଼ିରେ ସାମିଲ ହେଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଏବେ ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ତେବେ ବିଜେପି ରାଜ୍ୟ ଉପସଭାପତି ଥିବା ଭୃଗୁ ଦଳୀୟ ଅଣଦେଖା କାରଣ ଦର୍ଶାଇ ବିଜେପିରୁ ଇସ୍ତଫା ଦେଇଥିଲେ। ଭୃଗୁ ନିଜ ଇସ୍ତଫା ସମ୍ପର୍କରେ କହିଥିଲେ, ‘କିଛି ଦିନରୁ ଦଳରେ କୌଣସି ଆବଶ୍ୟକତା ନଥିବା ଅନୁଭବ କଲି । ତେଣୁ ଏଭଳି ନିଷ୍ପତ୍ତି ନେଲି । ଲୋକଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ କାର୍ୟ୍ୟ କରିବି ।’

ସୂଚନା ଥାଉକି, ଚଳିତଥର ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବାରୁ ବିଜେଡି ଏବେ ସ୍ୱତନ୍ତ ରଣନୀତି ପ୍ରସ୍ତୁତ କରୁଛି। କାରଣ ଗଞ୍ଜାମ ବିଜେଡିର ଦୀର୍ଘବର୍ଷର ସଂଗଠକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମୁକାବିଲା କରିବା ପାଇଁ ଖୋଦ ବିଜେପି ନେତାଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିବାକୁ ଚାହୁଁଛି ବିଜେଡି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ଚନ୍ଦ୍ରଶେଖର ସାହୁଙ୍କୁ ଓ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇଥିଲା। ଭୃଗୁ ପ୍ରାୟ ୯୪୮୪୫ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। କିନ୍ତୁ ଏଥର ବିଜେଡି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଭୃଗୁଙ୍କୁ ଦଳୀୟ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.