fbpx

ସଂଘବଦ୍ଧ ହତ୍ୟାର ରାଜଧାନୀ ପାଲଟୁଛି ଭୁବନେଶ୍ୱର; ୮ ମାସରେ ହେଲାଣି ୧୫ ହତ୍ୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବଢ଼ୁଛି ସଂଘବଦ୍ଧ ଆକ୍ରମଣ । ବିଗତ ୮ ମାସ ମଧ୍ୟରେ ୧୫ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ମଧ୍ୟରେ ୭ରୁ ଅଧିକ ସଂଘବଦ୍ଧ ଆକ୍ରମଣ ସାମିଲ ଅଛି । ବିଗତ ୮ ମାସରେ ପ୍ରାୟ ୭ଟି ସଙ୍ଘବଦ୍ଧ ହତ୍ୟା ଘଟଣା ରାଜ୍ୟଧାନୀ ବାସୀଙ୍କ ନିଦ ହଜାଇ ଦେଇଛି । ତେବେ ଏହି ସବୁ ଘଟଣା ମଧ୍ୟରେ କଣ କରୁଛି କମିଶନରେଟ ପୋଲିସ୍ । ଏଭଳି ସ୍ଥିତିରେ ରାଜଧାନୀ ବାସୀ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି । କେତେବେଳେ ଚୋର କେତେବେଳେ ଡ଼କାୟତି ତ ଆଉ କେତେବେଳେ ଲୁଟ ଛିନତାଇ ଆଉ ହତ୍ୟା । ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ । ରାଜରାସ୍ତାରେ ପିନ୍ଧିଥିବା ସୁନା ଗହଣା ଛିନତାଇ କରି ଛୁ ମାରି ସଫଳ ହେଉଛନ୍ତି ଅପରାଧୀ ।

ଆସନ୍ତୁ ଚୁମ୍ବକରେ ମନେ ପକାଇବା ସେହି ସବୁ ସଂଘବଦ୍ଧ ହତ୍ୟା ଘଟଣା:

ପ୍ରଥମ ଘଟଣା :
ପ୍ରେମ ବ୍ୟାପାରକୁ ନେଇ ନୂଆପଲ୍ଲୀ ଥାନା ସିଆରପି ଛକ ରାସ୍ତା ମଝିରେ ସାଲିଆସାହିର ଟୁକୁନା ଦାଶକୁ ଦୁଇ ଭାଇ ହତ୍ୟା କରିଥିଲେ । ରାସ୍ତାରେ ଛିଡ଼ା ହୋଇଥିବା ଏକ ପିକଅପ ଭ୍ୟାନ ଭିତରେ ହିଁ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।
ଘଟଣା ୨ :
ଲକ୍ଷ୍ମୀସାଗର ବୁଦ୍ଧନଗରରେ କାର୍ତ୍ତିକ ସାହୁକୁ ସଙ୍ଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଥିଲା । ଭାଇଗିରିକୁ କେନ୍ଦ୍ରକରି କାର୍ତ୍ତିକକୁ ୫ ଜଣ ଯୁବକ ହତ୍ୟା କରିଥିଲେ । ହତ୍ୟାକାଣ୍ଡରେ ସମ୍ପୃକ୍ତି ରହିଥିବା ସମସ୍ତ ଅଭିଯୁକ୍ତ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଥିଲା ।
ଘଟଣା ୩ :
ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ତ୍ରିନାଥ ସେଠୀକୁ ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ତ୍ରିନାଥକୁ ନିଶା ନିବାରଣ କେନ୍ଦ୍ରର ମାଲିକ କୀର୍ତ୍ତି ଓ ସୁରକ୍ଷାକର୍ମୀ ମିଶି ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣାରେ ସହିଦନଗର ଥାନା ପୋଲିସ ୨ ଜଣକୁ ଗିରଫ କରିଛି ।
ଘଟଣା ୪ :
ଖଣ୍ଡଗିରି ଥାନା ଡ଼ୁମୁମଡ଼ୁମା ରଘୁନାଥନଗରରେ ମୋବାଇଲ ଦୋକାନୀ ସନାତନ ରାଉତରାୟକୁ ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲଇସ ୬ ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।
ଘଟଣା ୫ : ଭରତପୁର ଥାନା ଅଧୀନ ଫାୟାର ଷ୍ଟେସନ ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୌମରନ ମାନ୍ଧାତା ଓ ତାଙ୍କ ଭାଇକୁ କିଛି ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୌମରନଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଭରତପୁର ଥାନା ପୁଲିସ ୩ ଜଣକୁ ଗିରଫ କରିଛି ।
ଘଟଣା ୬ :
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗକୁ ସାଙ୍ଗମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ । ହୋହଟେ ବିଲ ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ ମନୀଷଙ୍କୁ ହତ୍ୟା କରି ତମାଣ୍ଡୋ ଥାନା ଅଞ୍ଚଳରେ ଏକ ପୋଖରୀରେ ଫୋପାଡ଼ି ଦେଇଥିବା ପୋଲିସ କହିଛି । ତେବେ ମନୀଷଙ୍କ ୩ ଜ ବନ୍ଧୁଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.