fbpx

(Video) ଖରାଦିନେ ଘଟିଲା ବଡ଼ ଅଘଟଣ: କେହି କିଛି ବୁଝିବା ଆଗରୁ ହଠାତ୍ ଜଳି ଉଠିଲା କାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦିନ ୨.୩୦ ସୁଦ୍ଧା ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅନ୍ୟପକ୍ଷରେ, ୨୦ ଓ ୨୧ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଭୀଷଣ ଗ୍ରୀଷ୍ମ ଲହରୀ ପ୍ରବାହ ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଗ୍ରୀଷ୍ମ ପ୍ରବାହ କାରଣରୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ ।

ତେବେ ଏହା ମଧ୍ୟରେ ଖରାଦିନେ ରାଜ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । କେହି କିଛି ବୁଝିବା ଆଗରୁ ଗୋଟିଏ କାର ହଠାତ୍ ଜଳି ଉଠିଥିଲା । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ତୋରଡାନାଳୀ ଗାଁରେ ଗୋଟିଏ କାର ହୁତୁ ହୁତି ହୋଇ ଜଳିଉଠିଥିବା ବେଳେ ୪ ଜଣ ଯାତ୍ରୀ ଅଳ୍କକେ ବର୍ତ୍ତି ଯାଇଛନ୍ତି । ଶର୍ଟ ସର୍କିଟ କାରଣର କାରରେ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । କାରଟି ତୋରଡାନାଳୀ ଗାଁରୁ ଯାତ୍ରୀଙ୍କୁ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା’ ବିଲେଇଶୁଣୀଙ୍କ ଶକ୍ତିପୀଠକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । କାରରୁ ଧୂଆଁ ବାହାରିବା ସହିତ କ୍ଷଣିକ ମଧ୍ୟରେ କାରଟି ଜଳି ଉଠିଥିଲା । ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଉକ୍ତ ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଇଣ୍ଡିଗୋ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।

Get real time updates directly on you device, subscribe now.