ନୂଆଦିଲ୍ଲୀ: ସରକାରୀ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ଜାରି ହୋଇଛି କଟକଣା । ଏଣିକି ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ପାଠ ପଢାଇ ପାରିବେ ନାହିଁ ସରକାର ଶିକ୍ଷକ । ଏ ନେଇ କଟକଣା ଲାଗୁ ହେବା ପରେ ଶିକ୍ଷା ବିଭାଗର କଡ଼ା ନଜର ରହିଛି । ନିୟମରେ ଖିଲାପ ହେଲେ କନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଶିକ୍ଷା ବିଭାଗ । ଅନେକ ସମୟରେ ସ୍କୁଲରେ ଡ୍ୟୁଟି ସାରି ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ମଧ୍ୟ ପାଠ ପଢାଇଥାନ୍ତି ଶିକ୍ଷକ-ଶିକ୍ଷୟତ୍ରୀ । କ୍ଲାସର ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷକ ନିଜ ଦାୟିତ୍ୱ ଠିକ୍ ଭାବରେ ତୁଲାଇ ପାରନ୍ତି ନାହିଁ । ତେଣୁ ପ୍ରାଇଭେଟ ଟ୍ୟୁସନର ସାହାରା ନେଇଥାନ୍ତି ଛାତ୍ରଛାତ୍ରୀ ।
ଏ ନେଇ ଶିକ୍ଷା ବିଭାଗ ତରଫରୁ ଆଦେଶ ଜାରି ହୋଇଛି । କୌଣସି ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ଶିକ୍ଷାଦାନ କରିବା ପାଇଁ ସରକାରୀ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ କଟକଣା ଜାରି ହୋଇଛି । ତେବେ ସେମାନେ ଚାହିଁଲେ ଘରେ ସର୍ବାଧିକ ୩ ଜଣ ପିଲାଙ୍କୁ ଟ୍ୟୁସନ୍ କରିପାରିବେ । କିନ୍ତୁ ଏଥିପାଇଁ ସରକାରୀ ସ୍କୁଲର ପ୍ରିନ୍ସପାଲଙ୍କ ଅନୁମତି ଆବଶ୍ୟକ ହେବ । ନୂଆ ନିୟମ ଅନୁସାରେ, ଉଚ୍ଚ ମାଧ୍ୟମିକ ଏବଂ ମାଧ୍ୟମିକ ଶ୍ରେଣୀର ପିଲାଙ୍କ ପାଇଁ ୨ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ସର୍ବାଧିକ ୩ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ କରାଇପାରିବେ ଶିକ୍ଷକ-ଶିକ୍ଷୟତ୍ରୀ । ଏହସହିତ ଟ୍ୟୁସନ୍ ପାଇଁ ସ୍କୁଲରେ ଶିକ୍ଷାଦାନ ଉପରେ କୌଣସି ପ୍ରଭାବ ନ ପଡ଼ିବା ଉଚିତ୍, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ତେବେ ପ୍ରାଇଭେଟ ଟ୍ୟୁସନ୍ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ୍ ଲଗାଯିବ ବୋଲି ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ ।
ତେବେ ପ୍ରାଇଭେଟ ଟ୍ୟୁସନ୍ କରୁଥିବା ନେଇ କୌଣସି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ଏଥିପାଇଁ ସମ୍ବନ୍ଧିତ ନିୟନ୍ତ୍ରଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶିକ୍ଷା ବିଭାଗ ଅନୁସାରେ, ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ ଯୋଗାଇ ଦେବା ପାଇଁ ଲଗାତାର ପଦକ୍ଷେପ ଗ୍ରହଣ କରାଯାଉଛି । ନିକଟରେ ପିଲାମାନଙ୍କ ପୁଷ୍ଟିସାର ଖାଦ୍ୟ ପ୍ରଦାନ କରିବା ଦିଗରେ ବଜେଟ ବଢାଇଛି ଶିକ୍ଷା ବିଭାଗ । ଆଗକୁ ଖାଲି ଥିବା ଶିକ୍ଷକ/ଶିକ୍ଷୟତ୍ରୀ ପଦବୀ ମଧ୍ୟ ପୂରଣ କରାଯିବ ।