fbpx

ଡାକ୍ତରଙ୍କର ଅମାନୁଷିକତା: ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

ବିହାର: ଚିକିତ୍ସା ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଡାକ୍ତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ବେଗୁସରାଇ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ । ତେବେ ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟର । ଡାକ୍ତର ଜଣକ ଏବଂ ତାଙ୍କର ଜଣେ କର୍ମଚାରୀ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗ୍ୟାଙ୍ଗଷ୍ଟର ଚନ୍ଦନଙ୍କର ଅନେକ ଅନୁଗାମୀ ଡାକ୍ତରଖାନା ସମେତ ପାଖଆଖରେ ଥିବା କେତେକ ଚାଳଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁଯାୟୀ, ଚନ୍ଦନ କୁମାର ଚିକିତ୍ସା ପାଇଁ ରୂପନଗର ଗାଁର ରିୟା ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ । ତେବେ ଏହି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଡାକ୍ତର ଏବଂ ତାଙ୍କର ଜଣେ ସହକର୍ମୀ ଚନ୍ଦନଙ୍କୁ ଖୁବ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଚନ୍ଦନଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ସମର୍ଥକଙ୍କ କହିବାନୁସାରେ, ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ । ଏପରିକି ଚନ୍ଦନଙ୍କୁ ହତ୍ୟା କରିବା ପାଇଁ ଧାରୁଆ ଜିନିଷ ମଧ୍ୟ ବ୍ୟବହାର କରିଥିଲେ । ତେବେ ଅଭିଯୁକ୍ତ ଡାକ୍ତର ଅଜିତ ପାସୱାନ ବୋଲି ଜଣାପଡିଛି।

ତେବେ ଏ ବାବଦରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଡିଏସପି ଅମିତ କୁମାରଙ୍କ ଅଧୀନରେ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ଡାକ୍ତର ଏବଂ ତାଙ୍କର ସହକର୍ମୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Get real time updates directly on you device, subscribe now.