fbpx

ରୋଗୀ ଚିକିତ୍ସା କରୁଥିବା ସମୟରେ ଅଚାନକ ହୃଦଘାତରେ ଟଳିପଡିଲେ ଡାକ୍ତର

ନୂଆଦିଲ୍ଲୀ: ମୃତ୍ୟୁ ଆଗରେ ଧନୀ, ଗରିବ, ରୋଗୀ, ଡାକ୍ତର ସମସ୍ତେ ସମାନ । ଯେତେବେଳେ ମୃତ୍ୟୁ କାହାକୁ ନେବାକୁ ଆସିଥାଏ ସେତେବେଳେ ସେ କିଛି ଭଲ ମନ୍ଦ ବିଚାର କରେ ନାହିଁ । ଆଜି ସକାଳେ ମଧ୍ୟପ୍ରଦେଶର ସହଡୋଲ ଜିଲ୍ଲାରେ କିଛି ଏପରି ଘଟଣା ଘଟିଛି ଯାହା ଉପରୋକ୍ତ କଥାକୁ ପ୍ରମାଣିତ କରିଛି । ଏଠାରେ ଜଣେ ଡାକ୍ତର ଅନ୍ୟର ଜୀବନ ବଞ୍ଚାଇବାକୁ ଆଜି ଘରୁ ବାହାରିଥିଲେ ସତ କିନ୍ତୁ ଆଉ ଘରକୁ ଫେରି ପାରି ନ ଥିଲେ । ନିଜ କ୍ଲିନିକ୍‌ରେ ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ହୃଦଘାତ ହେବାରୁ ସେହିଠାରେ ଟଳି ପଡିଥିଲେ ୩୮ ବର୍ଷୀୟ ଡାକ୍ତର ଦିଲ୍ଲୀପ କୁମାର କୁଶବାହା । ଏକ ରୋଗୀକୁ ଦେଖୁଥିବା ସମୟରେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ସେ ସେହିଠାରେ ପଡିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛି ।

ଡାକ୍ତର ଦିଲ୍ଲୀପ କୁମାର ହୋମିଓପାଥିର ଜଣେ ନାମୀ ଡାକ୍ତର ଥିଲେ । ଅନ୍ୟର ସେବା ଲାଗି ସେ ସର୍ବଦା ତତ୍ପର ଥିଲେ । ସମାଜସେବା କ୍ଷେତ୍ରରେ ସେ ବେଶ୍ ଅଗ୍ରଣୀ ଭୂମିକା ନିଭାଉଥିଲେ । କୌଣସି ରୋଗୀ ପାଖରେ ପଇସା ନ ଥିଲେ ସେ ମାଗଣାରେ ତାଙ୍କ ସେବା କରୁଥିଲେ । ଏହାସହିତ ମାଗଣାରେ ଔଷଧ ବି ଦେଉଥିଲେ । ଏପରିକି ରୋଗୀ ପାଖରେ ବାଟ ଖର୍ଚ୍ଚ ଲାଗି ପଇସା ନ ଥିଲେ ସେ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଥିଲେ । ଡାକ୍ତର ଦିଲ୍ଲୀପ କୁମାର କୁଶବାହାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.