fbpx

ରୋଗୀଙ୍କ ଜୀବନ ସହ ଖେଳୁଥିଲେ ଡାକ୍ତର, ବିଦେଶ ଯାତ୍ରା ପାଇଁ ୨୫୦ ରୋଗୀଙ୍କ ଠାରେ ଲଗାଇଥିଲେ ନକଲି ପେସ୍‌ମେକର

Advertisement

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ହୋଇଥାନ୍ତି । କିନ୍ତୁ ଏଠି ଜଣେ ଡାକ୍ତର ରୋଗୀଙ୍କ ଜୀବନ ସହ ଏପରି ଖେଳ ଖେଳିଛନ୍ତି ଯାହା ଜାଣିବା ପରେ ଆପଣ ତାଙ୍କୁ ଡାକ୍ତର ନୁହେଁ ସଇତାନ ବୋଲି କହିବେ । ଉତ୍ତରପ୍ରଦେଶ ସୈଫଇ ମେଡିକାଲ ୟୁନିଭରସିଟିର କାର୍ଡିଓଲଜିଷ୍ଟ ଡାକ୍ତର ସମୀର ସରାଫ ଡାକ୍ତରୀ ଭଳି ଏକ ପବିତ୍ର ପେଶାକୁ ଅପବିତ୍ର କରି ଦେଇଛନ୍ତି । ରୋଗୀଙ୍କ ଶରୀରରେ ନକଲି ପେସମେକର ଲଗାଇବା ଅଭିଯୋଗରେ ସୈଫଇ ପୋଲିସ ତାଙ୍କୁ ଗିରଫ କରିଛି ।

ଜଣେ କି ଦୁଇ ଜଣ ନୁହଁନ୍ତି ୨୫୦ଜଣ ରୋଗୀଙ୍କୁ ଅପରେସନ କରି ନକଲି ପେସମେକର ଲଗାଇବା ମାମଲାରେ ଡାକ୍ତର ସମୀର ସରାଫଙ୍କ ବିରୁଦ୍ଧରେ ଅଭିଯୋଗ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗ ଆସିଛି କି ଡାକ୍ତର ରୋଗୀଙ୍କ ଠାରେ ନକଲି ପେସମେକର ଲଗାଇବା ପାଇଁ ବିଭିନ୍ନ କମ୍ପାନୀ ସହ ବୁଝାମଣା କରିଥିଲେ । ସେ ରୋଗୀଙ୍କ ଠାରେ ବ୍ରାଣ୍ଡେଡ୍ କମ୍ପାନୀ ନାମରେ ନକଲି ପେସମେକର ଲଗାଇ ମୋଟା ଆକାରରେ ପଇସା ରୋଜଗାର କରୁଥିଲେ । ଏହି କାମ ବଦଳରେ ଏହି ସମସ୍ତ କମ୍ପାନୀ ତାଙ୍କୁ ୮ ଥର ବିଦେଶ ଯାତ୍ରା କରାଇଛନ୍ତି ।
କେବଳ ଏତିକି ନୁହେଁ ୟୁନିଭରସିଟିରେ ବିଭିନ୍ନ ମେଡିକାଲ ଉପକରଣ କିଣିବା ନାମରେ ମଧ୍ୟ ଏହି ଡାକ୍ତର ପ୍ରାୟ ଦେଢ କୋଟି ଟଙ୍କା ଘୋଟାଲା କରିଛନ୍ତି । ଗେଜେଟେଡ୍ ଅଧିକାରୀ ଓ ପୋଲିସ ଯାଞ୍ଚରେ ଡାକ୍ତର ସମୀର ସରାଫ ଅଭିଯୁକ୍ତ ପ୍ରମାଣିତ ହୋଇଛନ୍ତି ।

କିଛି ରୋଗୀ ଡାକ୍ତରଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ନକଲି ପେସମେକର ଲଗାଇଥିବା ରୋଗୀଙ୍କ ସମସ୍ୟା ବଢିଯାଇଥିବାରୁ ସେମାନେ ଅଭିଯୋଗ କରିଥିଲେ । ପୋଲିସ ଅନୁସନ୍ଧାନ ପରେ ଜଣାପଡିଥିଲା ଏହି ଡାକ୍ତର ନକଲି ପେସମେକର ଲଗାଇ ଜଣେ ରୋଗୀଙ୍କ ଠାରୁ ୧.୮୫ ଲକ୍ଷ ଟଙ୍କା ନେଇଛି ଯାହା ଧାର୍ଯ୍ୟ ମୂଲ୍ୟ ୯୬,୮୪୪ ଟଙ୍କା ଠାରୁ ପ୍ରାୟ ୨ ଗୁଣ ଅଧିକ ।

Get real time updates directly on you device, subscribe now.