fbpx

ଗାଡ଼ି ଚାଳକ ସାବଧାନ: ଏପ୍ରିଲ ପହିଲାରୁ ଆରମ୍ଭ ହେବ ଟ୍ରାଫିକ୍ ଚେକିଂ, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଓ କେନ୍ଦ୍ର ସରକାର ଟ୍ରାଫିକ ପାଇଁ ଯେତେ ନିୟମ ଲାଗୁକଲେ ଓ ସଚେତନତା ଜାରି କଲେ ମଧ୍ୟ ଅମାନିଆଙ୍କ ଉପରେ ଲାଗିପାରୁନି ରୋକ । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ତେଣୁ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏସଓପି । ଆସନ୍ତା ଏପ୍ରିଲ ମାସ ମହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ।

ତେବେ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତ ହୋଇଥିବା ମାର୍ଗଦର୍ଶିକା ଆସନ୍ତା ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏପ୍ରିଲ ମାସ ପ୍ରଥମ ସପ୍ତାହକୁ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯିବ । ଏହି ଅବସରରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକ, ମଦ୍ୟପଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ । ଏଥିସହିତ ଜେଲଦଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୦୨୧ ବର୍ଷ ଅପେକ୍ଷା ୨୦୨୨ରେ ଦୁର୍ଘଟଣା ହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ୨୦୨୨ରେ ରାଜ୍ୟର ୧୧ ହଜାରରୁ ଅଧିକ ସଡ଼କ ଦୁର୍ଘଟଣା ଘଟି ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ରାଜ୍ୟର କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ବ୍ଲାକ ସ୍ପଟ ରହିଥିବା ଜଣାପଡ଼ିଛି । ତେବେ ଏହି ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ଶିକ୍ଷା, ପରିବହନ, ପୋଲିସ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରିବହନ କର୍ତ୍ତୃପକ୍ଷ ଆଗକୁ କଠୋର ପଦକ୍ଷେପ ଗ୍ରହଣକ କରିବାକୁ ଯାଉଥିବାରୁ ଗାଡ଼ି ଚାଳକମାନେ ଏ ନେଇ ସଚେତନ ହେବାର ଆବଶ୍ୟକତା ରହିଛି, ନଚେତ୍ ପକେଟରୁ ଅର୍ଥ ଗଣିବା ହିଁ ଶ୍ରେୟସ୍କର ହେବ ।

Get real time updates directly on you device, subscribe now.