fbpx

ଆନ୍ତଃରାଜ୍ୟ ବାଇକ୍ ଚୋରି ର‌୍ୟାକେଟ୍ ଠାବ: ୩୯ ବାଇକ୍ ଜବତ, ୧୧ ଗିରଫ

ଲାଞ୍ଜିଗଡ,୧୦/୦୫(ଓଡିଶା ଭାସ୍କର): ଦୀର୍ଘ ଚାରିମାସର ଅପରେସନ ପରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୁଲିସର ମିଳିତ ଅପରେସନରେ ଧରା ପଡ଼ିଛନ୍ତି ଏକ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଦଳ । ଓଡ଼ିଶାରୁ ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିଥିବା ଏହି ର‌୍ୟାକେଟ୍‌ର ପର୍ଦ୍ଦାଫାସ କରିବା ସହ ଏକାଦିକ୍ରମେ ୩୯ଟି ବାଇକ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ ତଥା କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ମାର୍ଗଦର୍ଶନରେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଅପରେସନ ଆରମ୍ଭ କରିଥିଲେ । ଦୁଇଟି ଥାନାର ବଛାବଛା ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଦୁଇଟି ପୁଲିସ ଦଳ ଜିଲ୍ଲା ତଥା ଜିଲ୍ଲା ବାହାରରେ ଚଢଉ କରି ୩୯ଟି ଚୋରି ବାଇକ୍ ଉଦ୍ଧାର କରିଥିଲେ । ଏହାସହ ଏଥିରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ଅବିନାଶ ସାହୁଙ୍କ ସମେତ ରମାକାନ୍ତ ନାଏକ, ସୁଧୀର ହରିଜନ, ସାଗର ହରିଜନ, ଦିବ୍ୟଭୂଷଣ ବୁଦ୍ଧିଆ, ମଣ୍ଟୁ ହରିଜନ, ଠାକୁର ସୁନାନୀ, ଚନ୍ଦନକଂସ ବେହେରା, ଅମିତ କୁମାରଙ୍କ ସହିତ ଦୁଇଜଣ ନାବାଳକଙ୍କୁ ଗିରଫ କରିଛି ପୁଲିସ । ତେବେ ଘଟଣାର ଖୋଳତାଡ କରିବା ପରେ ପୁଲିସକୁ ଏତେବଡ ସଫଳତା ମିଳିବା ପଛରେ ଥିବା କାରଣ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, ଗତ ୨୦୧୯ ଡିସେମ୍ବର ମାସ ୩ ତାରିଖରେ ବିଶ୍ୱନାଥପୁର ସହରର ବ୍ୟବସାୟୀ ପ୍ରମୋଦ କୁମାର ଗୋୟଲଙ୍କ ହୀରୋ ସୁପର ସ୍ପେ୍ଲଣ୍ଡର ବାଇକ୍ ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସେତେବେଳେ ବିଶ୍ୱନାଥପୁର ଥାନା କେସ୍ ନଂ ୪୯/୨୦୧୯ରେ ଏକ ମାମଲା ରୁଜୁ ହୋଇ ଖୋଜାଖୋଜି ଚାଲିଥିଲା ।

ଅନୁସନ୍ଧାନ ସମୟରେ ଏହି ସୁପର ସ୍ପେ୍ଲଣ୍ଡର ବାଇକ୍‌ଟିକୁ ଅମିତ କୁମାର ନାମକ ଜଣେ ଯୁବକ ଚୋରି କରିଥିବା ଜଣାପଡିଥିଲା । ପୁଲିସ ଏହି ଘଟଣାରେ ଅମିତକୁ ଥାନାକୁ ଆଣି ପଚରାଉଚୁରା କରିବାବେଳେ ଅମିତ ଠାରୁ ଏହି ଆନ୍ତରାଜ୍ୟ ବାଇକ୍ ଚୋରି ର‌୍ୟାକେଟ୍‌ର ସନ୍ଧାନ ମିଳିଥିଲା । ଏହାପରେ ଏସପିଙ୍କ ନିର୍ଦ୍ଦେଶରେ ବିଶ୍ୱନାଥପୁର ଥାନାଧିକାରୀ ଶ୍ରୀମତୀ ମାଝୀ, ଲାଞ୍ଜିଗଡ ଥାନାଧିକାରୀ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଏସ୍‌ଆଇ ବିପିନ କୁମାର କୁଳଦୀପ, ରମାରମଣ ମିଶ୍ର, ରାମେଶ୍ୱର ବାଗ, ଏଏସ୍‌ଆଇ ଅର୍ଜୁନ ନାଏକ ପ୍ରମୁଖ ସାମିଲ ହୋଇଥିବାବେଳେ ଅମିତର ସୂଚନା ଆଧାରରେ ନର୍ଲା ବ୍ଲକ ରୁପ୍ରାରୋଡର ଅବିନାଶ ସାହୁକୁ ଗିରଫ କରିଥିଲା । ଏହାପରେ ଅବିନାଶ ଅନ୍ୟସବୁ ବାଇକ୍ ଚୋରି ସଂପର୍କରେ ସ୍ୱୀକାର କରିବା ସହ ତାର ସହଯୋଗୀମାନଙ୍କ ନାମ ପ୍ରକାଶ କରିଥିଲା । ଏହାସହ ଲାଞ୍ଜିଗଡ, ବିଶ୍ୱନାଥପୁର, ଛତ୍ରପୁର, ରାୟଗଡା ଜିଲ୍ଲା ମୁନିଗୁଡା, ବିଷମକଟକ ସମେତ ଗଞ୍ଜାମ, ଭୁବନେଶ୍ୱର,ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର ତଥା ଛତିଶଗଡ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢଉ କରି ୩୯ଟି ବାଇକ୍ ଉଦ୍ଧାର କରିଥିଲା । ଏ ନେଇ ବିଶ୍ୱନାଥପୁରର ଗଣେଶ୍ୱର ବେହେରା ମଧ୍ୟ ଅଭିଯୋଗ ଦାୟର କରିଥିବାବେଳେ କେସ୍ ନଂ ୧୩/୨୦୨୦ରେ ମାମଲା ରୁଜୁ କରି ଉଭୟ ମାମଲାରେ ତଦନ୍ତ କରିଥିବା ଜଣାପଡିଛି । ତେବେ ତଦନ୍ତ ପ୍ରକ୍ରିୟା ଅବ୍ୟାହତ ଥିବାବେଳେ ଆହୁରି ଅଧିକ ବାଇକ୍ ଜବତ ହେବାର ସମ୍ଭାବନା ରହିଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

Get real time updates directly on you device, subscribe now.