fbpx

ଭାଣିଜୀଙ୍କୁ ମିଳିଗଲା ବ୍ୟାଙ୍କ ଅଫିସର, କାଫେ ମାଲିକଙ୍କୁ କିଏ ପଚାରେ, ତେଣୁ ବଢ଼ିଥିଲା ବିକ୍ରମଙ୍କ ମାନସିକ ଚାପ

ବଲାଙ୍ଗିର, (ଓଡିଶା ଭାସ୍କର): ଗତକାଲି ବଲାଙ୍ଗିରରେ ଘଟିଥିବା ଆତଙ୍କରାଜ ଘଟଣାର ସୃଷ୍ଟିକର୍ତ୍ତା ବିକ୍ରମ ପଣ୍ଡାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସଭିଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ- କିଏ ଏହି ବିକ୍ରମ, କାହିଁକି ସେ ଏପରି କଲେ? ବିକ୍ରମଙ୍କ କାରନାମା ପାଇଁ ପୋଲିସକୁ ସାଢ଼େ ୫ ଘଣ୍ଟାର ଅପରେସନ୍ କରିବାକୁ ପଡ଼ିଥିଲା । ସୂଚନା ଅନୁଯାୟୀ, ପୋଲିସ ବିକ୍ରମଙ୍କୁ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛି । ମାତ୍ର ବିକ୍ରମ ବର୍ତ୍ତମାନ ପର୍ଯ୍ୟନ୍ତ ମୁହଁ ଖୋଲି ନଥିବା ଜଣାଡ଼ିଛି । ପୋଲିସ ଏନେଇ ଦୁଇଟି ମାମଲା ରୁଜୁ କରିଛି । ଗୋଟିଏ ମାମଲା ଦିବ୍ୟଲୋଚନ ହୋତାଙ୍କ ଅଭିଯୋଗ ଆଧାରରେ ଓ ଅନ୍ୟଟି ପୋଲିସ ନିଜ ତରଫରୁ ରୁଜୁ କରିଛି । ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି, ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ବଲାଙ୍ଗିର ଏସପି କୁଶଲକର ନିତିନ ଡଗଡୁ କହିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁତ୍ର ବିକ୍ରମ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି । ସେ କମ୍ପ୍ୟୁଟରରେ ପିଜି କରିବା ପରେ ସ୍ଥାନୀୟ ଏକ ଛକରେ ନେଟ କାଫେ ଆରମ୍ଭ କରିଥିଲେ । ଅନେକ ସମୟରେ ଯୁବକ, ଯୁବତୀମାନେ ସେଠାକୁ ଅନଲାଇନ୍ ଫର୍ମ ଦାଖଲ କରିବାକୁ ଆସିଥାନ୍ତି । ପ୍ରାୟ ୩ ବର୍ଷ ତଳୁ ଜଣେ ଯୁବତୀଙ୍କ ସହ ବିକ୍ରମଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଯୁବତୀଙ୍କ ପରିବାର ଲୋକ ଏହି ପ୍ରେମକୁ ବାରଣ କରିଥିଲେ । ଏହି ସମୟରେ ଯୁବତୀ ଜଣକ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚାକିରି ପାଇବା ପରେ ସମ୍ପର୍କୀୟଙ୍କ ଘର ବଦଳାଇଥିଲେ । ଫଳରେ ବିକ୍ରମଙ୍କ ସହ ଯୁବତୀଙ୍କର ଆଉ ଦେଖା ସାକ୍ଷାତ ହୋଇପାରିନଥିଲା । ଫଳରେ ଦୀର୍ଘଦିନ ଧରି ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହିବା ପରେ ବିକ୍ରମ ଔଷଧ ସେବନ କରିଥିଲେ । ଜଣେ ବ୍ୟାଙ୍କ ଅଫିସରଙ୍କ ସହ ଯୁବତୀଙ୍କ ବାହାଘର କଥା ଶୁଣିବା ପରେ ବିକ୍ରମ ପାଗଳ ହୋଇଉଠିଥିଲେ । ମଙ୍ଗଳବାର ସକାଳ ୯ଟା ସମୟରେ ବିକ୍ରମ ଶାନ୍ତିପଡ଼ାସ୍ଥିତ ଦିବ୍ୟଲୋଚନଙ୍କ ବାସଭବନରେ ପଶିଥିଲେ । ଭାଣିଜୀ କୁଆଡ଼େ ଗଲା, ଭାଣିଜୀକୁ ନ ଡାକିଲେ ଗୁଳି କରିଦେବି ବୋଲି ବିକ୍ରମ ପରିବାରବର୍ଗଙ୍କୁ ଧମକ ଦେଇଥିଲେ । ବିକ୍ରମଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କ ବନ୍ଧୁମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ଜଣାପଡ଼ିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ଘଟଣା ପରେ ଘଟଣାର ମୁଖ୍ୟ ନାୟିକା ଭାଣିଜୀ ଚୁପ୍ କାହିଁକି? କେବେ ସେ ନିରବତା ଭାଙ୍ଗି ଆସିବେ ସମ୍ମୁଖକୁ ଓ ହଟାଇବେ ପରଦା, ତାହାକୁ ସମସ୍ତେ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.