fbpx

‘ଭାଣିଜୀ’କୁ ପାଇବାକୁ ବିକ୍ରମ ମୁଣ୍ଡରେ ‘ବେତାଳ’, ମାମୁ-ମାଇଁଙ୍କ ମୁଣ୍ଡରେ ପିସ୍ତଲ ରହିଲା ୩ ଘଣ୍ଟା

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ମୋତେ ତୁମ ଭାଣିଜୀକୁ ଦିଅ। ନହେଲେ ଛାଡ଼ିବିନି। ସମସ୍ତଙ୍କୁ ମାରିଦେବି। ପୁଅର ମୁଣ୍ଡରେ ପିସ୍ତଲ ଲଗାଇ ‘ମାମୁ-ମାଇଁ’ଙ୍କୁ ଧମକ। ଫିଲ୍ମ ଷ୍ଟାଇଲ୍‌ରେ ରିଅଲ୍‌ କାହାଣୀ। ତଥାକଥିତ ‘ଭାଣିଜୀ‘କୁ ପାଇବାକୁ ଏମିତି ‘ବେତାଳ’ ପଶିଗଲା ମୁଣ୍ଡରେ। ବାସ୍‌, ପ୍ରେମାନ୍ଧ ଯୁବକ ବିକ୍ରମ ରଚିଲା ଏଭଳି କାଣ୍ଡ। ଶୁଣିଲାନି କାହାରି କଥା। ନିଜ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସମେତ ପୋଲିସ୍‌ ଯେତେ ବୁଝାଇଲେ ବି ଅବୁଝା ବିକ୍ରମ ଜିଦ୍‌ରେ ରହିଲା…. ‘ତୁମ ଭାଣିଜୀ‘କୁ ଦିଅ…

ଏଭଳି ଏକ ଅଭାବନୀୟ ଓ ଆତଙ୍କ ଘଟଣାରେ ସାରା ରାଜ୍ୟରେ ଖେଳିଗଲା ହଇଚଇ। ଏକତରଫା ପ୍ରେମ ହେଉ ବା ପ୍ରେମରେ ବ୍ରେକ୍‌ ଅପ୍‌… ତାହା କେତେ ଭୟଙ୍କର ହୋଇପାରେ ବୋଲି ସମସ୍ତେ ମୁଣ୍ଡରେ ହାତ ଦେଉଥିଲେ। ସେପଟେ ଘର ଭିତରେ ପଶି ପରିବାରର ୩ ଜଣଙ୍କୁ ବନ୍ଧକ ରଖିସାରିଥିଲା ବିକ୍ରମ। ହାତରେ ପିସ୍ତଲ, ଆଉ ଗୋଟିଏ ଜିଦ୍‌ ‘ଭାଣିଜୀ‘କୁ ଦିଅ..

କିନ୍ତୁ, କିଏ ଏହି ଭାଣିଜୀ? କାହିଁକି ରହିଥିଲେ ଚୁପ୍‌!

ବାହାରେ ଲୋକ ରୁଣ୍ଡ। ଭିତରେ ଆତଙ୍କ। ବାହାରେ ପୋଲିସ୍‌ ଆଉ ଘର ଭିତରେ ୩ ପ୍ରାଣୀଙ୍କ ଜୀବନ ବିପଦରେ। ଏଭଳି ଭିତରେ ଭାଣିଜୀକୁ ଡାକିଲେ ବିକ୍ରମ ସିଧାସଳଖ କଥା ହେବ ବୋଲି ଦେଉଛି ଧମକ। ବଲାଙ୍ଗିରରେ ମଙ୍ଗଳବାର ରଜ ସଂକ୍ରାନ୍ତି ଅବସରରେ ରାଜ୍‌ କରିଥିଲା କିଛି ଘଣ୍ଟା ଏଭଳି ପ୍ରେମାନ୍ଧ ଯୁବକ। ସୂଚନା ଅନୁସାରେ ସେ ଜଣେ ଯୁବତୀକୁ ଭଲ ପାଉଥିଲେ। ଯୁବତୀ କୁଆଡ଼େ ଭୀମ ଭୋଇ ମେଡିକାଲ୍‌ କଲେଜରେ କାମ କରନ୍ତି। ତେବେ ପ୍ରେମ ଚାଲିପାରିଲାନି ବହୁ ବାଟ। ଆଉ ଅଧାରେ ଅଟକିଗଲା ବିକ୍ରମ-’ଯୁବତୀ‘ଙ୍କ ପ୍ରେମ। ଏହାପରେ ସହି ପାରିଲେନି ବିକ୍ରମ। ପାଗଳ ପ୍ରାୟ ହୋଇଗଲେ। ଏହା କାଲି ସେ ନିଜ କାଣ୍ଡରୁ ପ୍ରମାଣ କରିଦେଲେ। ଆଉ ଏହା ମଧ୍ୟ ଲୋକଙ୍କ ଭାବିକୁ ଦେଲେ ଯେ, ପ୍ରେମ କରୁଥିବାବେଳେ ସମ୍ପୃକ୍ତ ଯୁବତୀ ନିହାତି ନିଜ ସମ୍ପର୍କୀୟଙ୍କ ବିଷୟରେ କହିଛନ୍ତି! ଆଉ ମଙ୍ଗଳବାର ବଲାଙ୍ଗିରର ଶାନ୍ତିପଡ଼ାରେ ସୃଷ୍ଟି ହୋଇଥିବା ଅଶାନ୍ତିର ବାତାବରଣ ଏବଂ ଉକ୍ତ ଘର ଯୁବତୀଙ୍କ ‘ମାମୁଘର’ ନିଶ୍ଚୟ! ତେଣୁ ବିକ୍ରମ କହୁଥିଲା ’ତୁମ ଭାଣିଜୀ’କୁ ଡାକ। ମାମୁଁ-ମାଇ ଓ ତାଙ୍କ ପୁଅକୁ ହତ୍ୟା ଧମକ ଦେଇ ଯୁବତୀଙ୍କୁ ପାଇଯିବ ବୋଲି ବିକ୍ରମ ରଚିଥିଲା ଏଭଳି ଆତଙ୍କ।

ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ନାକେଦମ୍‌ ହେଲା ପୋଲିସ୍‌। ପରିବାରର ଲୋକଙ୍କୁ ସୁରକ୍ଷାର ସହ ବଞ୍ଚାଇବା ଏବଂ ଉନ୍ମତ୍ତ ବିକ୍ରମକୁ କାବୁ କରିବାକୁ ପୋଲିସ୍‌ ବିଛାଇଲା ଜାଲ। ଘରପଛ ପଟରୁ ଅପରେସନ୍‌ ଆରମ୍ଭ କରିବା ପରେ କୌଶଳ କ୍ରମେ ପରିବାରର ୩ ଜଣଙ୍କୁ ଉଦ୍ଧାର କରିବା ସହ ବିକ୍ରମକୁ ଧରିନେଇଥିଲା ପୋଲିସ୍‌। ତେବେ ସେତେବେଳକୁ ବିତିଗଲାଣି ପୂରା ୬ ଘଣ୍ଟା। ପ୍ରଥମେ ପ୍ରାୟ ୩ ଘଣ୍ଟା ପିସ୍ତଲ ଆଗରେ ଜୀବନ ବାଜି ଲାଗିବା ପରେ ପରିବାର ଲୋକଙ୍କୁ ଉଦ୍ଧାର ଏବଂ ପରେ ପ୍ରାୟ ୩ ଘଣ୍ଟା ’ବେତାଳ’ ପଶିଥିବା ବିକ୍ରମକୁ କାବୁ କରିବାକୁ ପୋଲିସ୍‌ ହେଲା ନାକେଦମ୍‌। ସାଧାରଣରେ ବି ଖେଳି ଯାଇଥିଲା ଏକ ଅଜଣା ଭୟ। ଗଣମାଧ୍ୟମର ଖବରକୁ ନେଇ ସାରା ରାଜ୍ୟରେ ଖେଳି ଯାଇଥିଲା ଚର୍ଚ୍ଚା।

 

Get real time updates directly on you device, subscribe now.