fbpx

ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ECMO ମେସିନ୍ ସମସ୍ୟା: ହାତ ମିଳାଇଲେ ସରକାରୀ ଓ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟକୁ ଆସିବ ୧୫ଟି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଇସିଏମଓ) ମେସିନ୍ । ଏନେଇ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଛି । ଭୁବନେଶ୍ୱରରେ ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକମୋ ମେସିନ୍ ଥିବାରୁ ଚିକିତ୍ସା ପାଇଁ ଘୋର ଅସୁବିଧା ହେଉଛି । ବାଧ୍ୟହୋଇ ଗୁରୁତର କରୋନା ରୋଗୀମାନେ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ମେସିନକୁ ପ୍ରଥମେ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଓ ପରେ ଚିକିତ୍ସା ଜାରି ରଖିବାକୁ ଦୈନିକ ୧ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏକମୋ ମେସିନ୍ ଲଗାଇଦେଲେ ରୋଗୀ ବଞ୍ଚିଯିବ ବୋଲି ପ୍ରଚାର ହେଉଥିବାରୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢ଼ିଚାଲିଛି । ପ୍ରକୃତ କଥା ହେଉଛି, ଏହି ମେସିନ୍ ଭାରତରେ ନିର୍ମାଣ ହେଉନାହିଁ, ଏହା ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ତେବେ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ପରିମାଣର ଏକମୋ ଉପଲବ୍ଧ କରାଇବା ନେଇ ରାଜ୍ୟ ସରକାର, ଏମ୍ସ ଓ କେତେକ ଘରୋଇ ହସ୍ପିଟାଲ ପଦକ୍ଷେପ ନେଇଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ୧୫ଟି ଏକମୋ ମେସିନ୍ ଆସିବାର ଯୋଜନା ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୬ଟି ଏକମୋ ମେସିନ୍ ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଟେଣ୍ଡର ପ୍ରକିୟା ଶେଷ ହୋଇଛି । ପ୍ରଥମେ ଏସସିବି ଓ ପରବର୍ତ୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଏହା ସ୍ଥାପନ କରାଯିବ । ଏମ୍ସ କର୍ତ୍ତୃପକ୍ଷ ମଧ୍ୟ ଦୁଇଟି ଏକମୋ ମେସିନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ସୁବିଧା ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ୨୦୧୭ରୁ କିମସରେ ଏକମୋ ମେସିନ ଉପଲବ୍ଧ ଥିଲେ ମଧ୍ୟ ୨୦୧୮ରେ ପ୍ରଥମ ଥର ପାଇଁ ଏହା ରୋଗୀଙ୍କ ସେବାରେ ଲାଗିଥିଲା । ସେହିପରି ସମ୍ ଅଲଟିମେଟରେ ମଧ୍ୟ ଗୋଟିଏ ଏକମୋ ମେସିନ ରହିଛି । ଆଗକୁ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଥିବା କିଛି ହସ୍ପିଟାଲରେ ଏହି ମେସିନ୍ ଲଗାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.