fbpx
BJD SKY
BJD SKY

ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଲେ ବିଜେଡି ସାଂସଦ ପ୍ରତିନିଧି ଦଳ, ଉଠାଇଲେ ଏହି ଦାବି

BJD

ଭୁବନେଶ୍ୱର/ନୂଆଦିଲ୍ଲୀ : ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରୁଥିବା ସାମ୍ବିଧାନିକ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନର ରୂପ ନେବ । ଏହି ବିଧେୟକକୁ ସମସ୍ତ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ବିଜୁ ଜନତା ଦଳ ମଧ୍ୟ ବିଧେୟକକୁ ସମର୍ଥନ ଘୋଷଣା କରିଛି । ଏହି କ୍ରମରେ ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଏକ ପ୍ରତିନିଧି ଦଳ ବୁଧବାର ସକାଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ସଂସଦର ତାଙ୍କ ଚାମ୍ବରରେ ଭେଟିଛନ୍ତି । ପ୍ରତିନିଧ ଦଳ ଓବିସି ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ସଂପର୍କରେ ଏକ ସ୍ମାରକ ପତ୍ର ଶାହାଙ୍କୁ ପ୍ରଦାନ କରିଛନ୍ତି ।

ବିଜେଡି ନିଜ ଦାବି ପତ୍ରରେ ଉଲ୍ଲେଖ କରିଛି ଯେ, ରାଜ୍ୟର ସଶକ୍ତିକରଣ ପାଇଁ ଏକ କେନ୍ଦ୍ରୀୟ ଆଇନ ତିଆରି କରାଯାଇ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରାଯାଉ । ଏଥିସହ ଏସଇବିସି/ଓବିସିର ଚିହ୍ନଟ ଓ ଗଣନା ପାଇଁ ଜାତିଭିତ୍ତିକ ଜନଗଣନା କରାଯାଉ । ଗୃହ ମନ୍ତ୍ରୀ ଅମିତ୍ ଶାହା ଓଡିଶା ବିଜେଡି ସାଂସଦଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି । ଅମିତ୍ ଶାହା ଏସଇବିସି/ଓବିସି ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ବଢାଯିବା ବିଜେଡି ସାଂସଦଙ୍କ ଏହି ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି ।

ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକରାତ୍ମକ ରହିଥିବା ବିଜେଡି ସାଂସଦ କହିଛନ୍ତି । ଏହି ପ୍ରତିନିଧି ଦଳରେ ଲୋକସଭା ସାଂସଦ ପିନାକୀ ମିଶ୍ର, ଭର୍ତ୍ତୁହରି ମହତାବ, ଅନୁଭବ ପଟ୍ଟନାୟକ, ଅଚ୍ୟୁତ୍ ସାମନ୍ତ, ପ୍ରମୀଳା ବିଷୋୟୀ, ରମେଶ ଚନ୍ଦ୍ର ମାଝୀ ଏବଂ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ, ପ୍ରଶାନ୍ତ ନନ୍ଦସ୍କ ସମେତ ଅନ୍ୟ ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.