fbpx

ଭୁବନେଶ୍ୱର ଲୋକସଭା ଆସନରେ କିଏ ବାଜିମାତ୍ କରିବ: ବିଜେଡି ନା ବିଜେପି, ଏଥର କାହାକୁ ବାଛିବେ ରାଜଧାନୀବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ବିଧାନସଭା ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଆଗରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେଣୁ ଅତୀତର ତ୍ରୁଟିକୁ ସୁଧାରି ଏଥର ବିଜେପି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ କବଜା କରିବା ଲକ୍ଷ୍ୟରେ ରହିଛି ।

ଏଥର ବିଜେଡି ଉଭୟ ଲୋକସଭା ଓ ବିଧାନସଭା ଲଢ଼େଇରେ ଅଧିକ ଆସନ ଅକ୍ତିଆର ଲକ୍ଷ୍ୟରେ ରହିଛି । ଏଥିସହିତ ରାଜଧାନୀରେ କିପରି ଅପରାଜିତାଙ୍କୁ ଚେକ୍ ଦିଆଯିବ ସେଥିପାଇଁ ଦଳ ଜଣେ ଦକ୍ଷ ମହିଳା ନେତ୍ରୀଙ୍କୁ ଆଗକୁ ଆଣିଛି । କିଛିମାସ ପୂର୍ବରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି ଦେଇଥିଲେ । ଶ୍ରୀମୟୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ରାଜଧାନୀର ରାଜନୈତିକ ମହଲରେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ମେୟର ନିର୍ବାଚନରେ ଅପରାଜିତାଙ୍କ ଦବଦବାକୁ ରୋକିବା ପାଇଁ ଦଳ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଶ୍ରୀମୟୀଙ୍କୁ ଆଗକୁ ଆଣି ବିଜେଡି କେତେଦୂର ସଫଳ ହେଉଛି ତା’ ଉପରେ ଏବେ ସଭିଙ୍କ ନଜର ।

ତେବେ ଶ୍ରୀମୟୀଙ୍କ ନୂଆ ନିଯୁକ୍ତିକୁ ଦୁଇ ଦିନ ନ ପୂରୁଣୁ ଅପରାଜିତା-ଶ୍ରୀମୟୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା । ଅପରାଜିତା ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଅପରାଜିତା ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଥିଲେ ।

ତେବେ ପୂର୍ବଥର ଭଳି ଏଥର ଭୁବନେଶ୍ୱରୁ ଅପରାଜିତା ପ୍ରାର୍ଥୀ ହେବେ କି ଅନ୍ୟ କେଉଁ ଆସନରୁ ପ୍ରାର୍ଥୀ ହେବେ ତାହା ଏବେଠାରୁ କହି ହେବ ନାହିଁ । ଅନ୍ୟପକ୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ନେଇ ଗତବର୍ଷ ମନ୍ତ୍ରୀ ଅଶୋକ ପଣ୍ଡା ଏକ ବଡ଼ ଘୋଷଣା କରିଥିଲେ । ତେବେ ଯଦି ଅପରାଜିତା ଓ ଶ୍ରୀମୟୀ ଯଥାକ୍ରମେ ବିଜେପି ଓ ବିଜେଡିରୁ ଭୁବନେଶ୍ୱର ଆସନରେ ପ୍ରାର୍ଥୀ ହୁଅନ୍ତି ତେବେ ଏଭଳି ସ୍ଥିତିରେ ରାଜଧାନୀରେ ଏକ ମହାଲଢ଼େଇ ଦେଖିବାକୁ ମିଳିପାରେ । ଯଦି ଏପରି ହୁଏ ତେବେ ଜନତା କାହାକୁ ବାଛିବେ ତାହା ଏକ ବଡ଼ ପ୍ରଶ୍ନ ।

Get real time updates directly on you device, subscribe now.