fbpx

(VIDEO) ପେଟ୍ରୋଲ କେମିକାଲ ପ୍ଲାଣ୍ଟ ବନ୍ଦ ହେବା ବିଜେଡିର ଘୋଷଣା ନିର୍ବାଚନ ପାଇଁ ଧୂଆଁବାଣ: କଂଗ୍ରେସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଜନତାଙ୍କ ସହିତ ସର୍ବଦା ରହିଛି। ବିକାଶକୁ କଂଗ୍ରେସ ବିରୋଧ କରେ ନାହିଁ। କିନ୍ତୁ ଜନତାଙ୍କ ବିନାଶ କରି ଯେଉଁଠାରେ ବିକାଶର କଥା ଚିନ୍ତା କରାଯାଇଛି ସେଠାରେ କଂଗ୍ରେସ ବିରୋଧ କରିଛି। କାରଣ ଅତୀତରେ କଂଗ୍ରେସ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିକାଶ କରିଛି। ବାଲିଆପାଳର ପେଟ୍ରୋଲ କେମିକାଲ ପ୍ରତିଷ୍ଠା କ୍ଷେତ୍ରରେ ଯେତେବେଳେ ୬ଟି ପଞ୍ଚାୟତର ପନ୍ଦର ହଜାର ପରିବାରର ଷାଠିଏ ହଜାର ଲୋକ ସେମାନଙ୍କ ଜୀବନ ଧାରାକୁ ନେଇ ତ୍ରାହି ତ୍ରାହି ହେଲେ ସେତେବେଳେ କଂଗ୍ରେସ ଜନତାଙ୍କ ପାଇଁ ଲଢିଲା।  ନିକଟ ଅତୀତରେ କଂଗ୍ରେସର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡଃ ଚେଲ୍ଲା କୁମାର ଓ ବାଲେଶ୍ଵର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଏକ ବିଶାଳ ସମାବେଶରେ ବାଲିଆପାଳବାସୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଲଢେଇ କରିବ ବୋଲି ଘୋଷଣା କରିଥିଲେ। ସେତେବେଳେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ଏବଂ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କୁଆଡେ ସାଧାରଣ ଲୋକଙ୍କ ହୃଦୟ ଜିଣିବା ଜାଣି ବିଜେଡି ତରବରିଆ ଭାବେ ହଠାତ୍ ସମାବେଶ କରି ପେଟ୍ରୋଲ କେମିକାଲ ବନ୍ଦ ହେବ ବୋଲି ଘୋଷଣା କରିବା ଓ ବନ୍ଦର ସମୁଦ୍ର ହେବ ବୋଲି କହିବା ଅତ୍ୟନ୍ତ ଲଜ୍ୟାଜନକ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ସଂଜୀବ ଗିରି ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ କେମିକାଲ ଓ ବନ୍ଦର ବିଷୟରେ ନିଷ୍ପତ୍ତି ଓ ଘୋଷଣା କରିବାକୁ ରାଜ୍ୟ ସରକାର କିଏ। ଯଦି ଦମ୍ ଅଛି ରାଜ୍ୟ ସରକାର କେନ୍ଦ୍ର ତୈଳ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଘୋଷଣା କରାନ୍ତୁ।  ଯେତେବେଳେ ରାଜ୍ୟ ସରକାର ରାଜ୍ୟରେ ବିଜ୍ଞପ୍ତି କଟକଣା ଜାରି କରୁଛନ୍ତି ଠିକ୍ ତା ପରଦିନ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଓ ସରକାରୀ ଦଳର ରାଜନେତା ବିଶାଳ ସମାବେଶରେ ଲୋକଙ୍କୁ ଅର୍ଥ ଦେଇ ବୋହି ଆଣି ସମାବେଶ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  ବୋଲି ସେ କହିଛନ୍ତି।  ସେହିପରି ବସ୍ତା କଂଗ୍ରେସ ନେତା ତଥା ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ କହିଛନ୍ତି ଯଦି ବାଲିଆପାଳର ଶସ୍ୟ ଶ୍ୟାମଳା ରତ୍ନଗର୍ଭା ମାଟି ପାଇଁ ବିଜେଡିର ଚିନ୍ତା ତା’ହେଲେ ପ୍ରଥମରୁ କାହିଁକି ନିରବ ଥିଲା।  ଏହା କେବଳ ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଓ ରାଜ୍ୟ ସରକାରଙ୍କ ଧୂଆଁବାଣ। ଗୋଟିଏ ପଟେ ବିଜୁ ଜନତା ଦଳର କିଛି ବ୍ଲକସ୍ତରୀୟ ନେତା ପେଟ୍ରୋଲ କେମିକାଲ ଓ ବନ୍ଦର ପ୍ରତିଷ୍ଠା ପାଇଁ ମେଳୀ ସଭା ଲଗାତାର କରୁଥିବା ବେଳେ ଅନ୍ୟପଟେ ସେଇ ବିଜେଡି ଏବେ ପେଟ୍ରୋଲ କେମିକାଲ ଓ ବନ୍ଦରକୁ ବିରୋଧ କରିବା ଲୁଚିଛି ନା ଗୋଡ ଦୁଇଟା ଦୁଶୁଛି।  ତେଣୁ କଂଗ୍ରେସ ବାଲିଆପାଳବାସୀଙ୍କ ସ୍ୱାର୍ଥ ପାଇଁ ଲଢେ଼ଇ କରିଛି, କରୁଛି ଓ କରିବ ବୋଲି କହିଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ଓ ସମ୍ପାଦକ ପଶୁପତି ଉପାଧ୍ୟାୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.