fbpx

୨୦୨୪ ମହାଯୁଦ୍ଧ: ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଚାରିଦିଗରୁ ଶୁଭିଲାଣି ୪ ଦଳର ଭୟଙ୍କର ଗର୍ଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ସମରସଜ୍ଜାନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଫିଲ୍ଡ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ଆଉ ଦୁଇଟି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ ) ଓଡ଼ିଶାରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ।

ଦୀର୍ଘ ୨୩ ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଅପରାଜେୟ ରହିଛନ୍ତି । ତେଣୁ ନବୀନଙ୍କୁ ଏଥର ଗାଦିଚ୍ୟୁତ କରିବା ପାଇଁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଏପରିକି ଆଗାମୀ ଦିନରେ ଦଳ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ନିକଟରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମାପ୍ତ ହୋଇଥିବା ବେଳେ ଆଗକୁ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବଦଳିପାରେ । ତେଣୁ ଓଡ଼ିଶାର ଜଣଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଥିବା କୁହାଯାଉଛି ।

ନିକଟରେ ସମାପ୍ତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ଚକମା ଦେଇ ବହୁମତ ହାସଲ କରିଥିଲା କଂଗ୍ରେସ । ତେଣୁ ଦୀର୍ଘବର୍ଷ ଧରି ଦୁର୍ବଳ ପ୍ରଦର୍ଶନ କାରଣରୁ ଶୋଇ ରହିଥିବା କଂଗ୍ରେସ ଏବେ ପୁଣି ଥରେ ଚେଇଁ ଉଠିଛି । ରାହୁଲ ଗାନ୍ଧି ସାରା ଭାରତବର୍ଷରେ ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଜନତାଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ବେଳେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଦଳକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି । ଆସନ୍ତା ମାସରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀ, ପଞ୍ଜାବ ଦଖଲ ପରେ ଆପର ପରବର୍ତ୍ତୀ ନିଶାଣରେ ରହିଛି ଓଡ଼ିଶା । ନିକଟରେ ଦିଲ୍ଲୀ ମହାନଗର ନିଗମରେ ବିଜେପିକୁ ହରାଇବା ପରେ ଆପର ମନୋବଳ ଏବେ ଦିଲ୍ଲୀ ସିଂହାସନ ଉପରେ । ଏଥିସହିତ କେଜ୍ରିୱାଲ ଧୀରେଧୀରେ ବିଭିନ୍ନ ରାଜ୍ୟକ୍ଷର ବ୍ରାଞ୍ଚ ଖୋଲି ନିଜର ଦବଦବା ଜାହିର କରିବା ପ୍ରୟାସରେ ରହିଛନ୍ତି । ଏହାମଧ୍ୟରେ ଆପ ଏକ ଜାତୀୟ ଦଳର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର କେଜ୍ରିୱାଲ ଓଡ଼ିଶାରେ ଗସ୍ତରେ ଆସିବା ନେଇ ଚର୍ଚ୍ଚା ହେଉଛି ।

ତେବେ ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା କେସିଆର ମଧ୍ୟ ଓଡ଼ିଶା ଉପରେ ନଜର ରଖିଛନ୍ତି । ତାଙ୍କର ଦଳ ବିଆରଏସ ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି । ନିକଟରେ ବିଜେପି ଛାଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ତାଙ୍କ ପୁଅ, ପତ୍ନୀଙ୍କ ସହିତ ବିଆରଏସରେ ଯୋଗଦେବେ ବୋଲି କହିଛନ୍ତି । ଏଥିସହିତି ରାଜ୍ୟର କିଛି ବରିଷ୍ଠ ନେତା ମଧ୍ୟ ଦଳ ସଂପର୍କରେ ରହିଥିବା କୁହାଯାଉଛି ।

ତେବେ ଯଦି ଏହି ସମସ୍ତ ରାଜନୈତିକ ଦଳମାନେ ରାଜ୍ୟରେ ଏଣ୍ଟ୍ରି ମାରନ୍ତି ତେବେ ଏହା ଶାସକ ବିଜେଡି ପାଇଁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ତେଣୁ ପ୍ରତିନ୍ଦ୍ୱନ୍ଦ୍ୱୀକୁ ଚକମା ଦେବାରେ ମାହିର ନବୀନ ଏଥର କି ଅସ୍ତ୍ର ପ୍ରୟୋଗ କରୁଛନ୍ତି ତା’ ଉପରେ ସଭିଙ୍କ ନଜର । ଦିନକୁ ଦିନ ଜନତାଙ୍କ ମତ ବଦଳୁଛି । ଏଥିସହିତ ପାଣିପାଗ ଦେଖି ରାଜନୈତିକ ଦଳମାନେ ମଧ୍ୟ ନୂଆ ନୂଆ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ପଲିଟିକାଲ ଗେମରେ କିଛି ବି ଅସମ୍ଭବ ନୁହେଁ । ଯଦି ରାଜ୍ୟରେ ମେଣ୍ଟ ରାଜନୀତି ହୁଏ, ତେବେ କିଛି ପରିବର୍ତ୍ତନ ଘଟିପାରେ । ତେଣୁ ଆଗାମୀ ଦିନରେ ବିଜେପି, କଂଗ୍ରେସ, ଆପ, ବିଆରଏସ ଏହି ଚାରି ମହାରଥୀଙ୍କୁ ନବୀନ କେମିତି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.