fbpx

Video: ‘ଯିଏ ପିଇବ, ସେ ମରିବ’ ବୟାନକୁ ନେଇ ନୀତିଶଙ୍କୁ ଘେରିଲା ବିଜେପି; ଇସ୍ତଫା ଦାବି କଲେ ଗିରିରାଜ ସିଂ

AAKASH

ନୂଆଦିଲ୍ଲୀ: ବିହାରରେ ହୋଇଥିବା ମଦ ମୃତ୍ୟୁ ମାମଲାକୁ ନେଇ ରାଜନୀତିରେ ବିବାଦ ଜୋର ଧରିଛିି । ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ବିବାଦ ଜାରି ରହିଛି । ବିଷାକ୍ତ ମଦ ଯୋଗୁଁ ଏପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ଘଟିଛି । ସମୟ ବିତିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ଦାବି ଜୋର ଧରିଛି ।

ମଦ ନିଷେଧାଦେଶ ତଥା ନୀତିଶ କୁମାରଙ୍କ ମନ୍ତବ୍ୟ “ଯିଏ ପିଇବ, ସେ ମରିବ” ଉପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଛି । ବିରୋଧୀ ଦଳର ନେତା ତଥା ବିଜେପି ନେତା ବିଜୟ ସିହ୍ନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଚେୟାରକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ବିଜେପି ନେତା ସୁଶୀଲ ମୋଦୀ ମଧ୍ୟ ରାଜ୍ୟସଭାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମ୍ପୂର୍ଣ୍ଣ ହତାଶ ଏବଂ ଦାୟିତ୍ୱରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି । ବିଷାକ୍ତ ମଦ ପାଇଁ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଚାହୁଁନାହାଁନ୍ତି ବିରୋଧୀ ଦଳ ଏହି ପ୍ରସଙ୍ଗ ଗୃହରେ ଉଠାନ୍ତୁ । ଗୃହରେ ସେ ଏପରି ପ୍ରତିକ୍ରିୟା କରିଥିଲେ ଯାହା ତାଙ୍କର ଅସହାୟତାକୁ ପ୍ରକାଶ କରୁଛି । ମଦ ନିଷେଧାଦେଶ ବିଫଳ ହୋଇଛି ବୋଲି ସେମାନେ ସମୀକ୍ଷା କରିବା ଉଚିତ୍ ।

ବିହାର ବିଜେପି ସଭାପତି ଡ. ଜୈସୱାଲ କହିଛନ୍ତି ଯେ ମଦ ନିଷେଧାଦେଶକୁ ସମସ୍ତଙ୍କ ସମର୍ଥନ ମିଳିଛିି । କିନ୍ତୁ ନିଷେଧାଦେଶ ପରେ ମଧ୍ୟ ଘରେ ହେଉଥିବା ଡେଲିଭରିକୁ ନିଶ୍ଚିତ କରାଯାଇ ନାହିଁ । ଏଭଳି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି କ୍ଷତରେ ଲୁଣ ଘଷିବା ପରି ହୋଇଛି । ସରକାରଙ୍କୁ ଟାର୍ଗେଟ କରି ବେଗୁସରାଇର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ନୀତିଶ କୁମାର ଇସ୍ତଫା ଦିଅନ୍ତୁ ।

ସାରନ ସାଂସଦ ରାଜୀବ ପ୍ରତାପ ରୁଡି ମଧ୍ୟ ଲୋକସଭାରେ ବିଷାକ୍ତ ମଦ ଦ୍ୱାରା ମୃତ୍ୟୁ ମାମଲା ଉଠାଇ କହିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀରେ ବେଆଇନ ମଦ ଯୋଗାଣ ଗରିବ ଲୋକଙ୍କ ଜୀବନ ସହ ଖେଳୁଛି । ଏତେ ସଂଖ୍ୟକ ମୃତ୍ୟୁ ପରେ ନୀତିଶ କୁମାର ତାଙ୍କ ଶାସନ ବିଫଳତା ପାଇଁ ଅନ୍ୟମାନଙ୍କୁ ଦାୟୀ କରିପାରିବେ ନାହିଁ । ତେବେ ବିହାର ବିଧାନସଭା ଠାରୁ ସଂସଦ ପର୍ଯ୍ୟନ୍ତ ବିଷାକ୍ତ ମଦ ମାମଲାରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏଭଳି ପରିସ୍ଥିତିରେ ବିଜେପି ଏବଂ ନୀତିଶ ସରକାର ମଧ୍ୟରେ ରାଜନୈତିକ ତିକ୍ତତା କେତେ ଦିନ ଚାଲିବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.