ଏମଭିଏ ଜିତିବା ଆସନରେ ବିଜେପିର ଜାଲିଆତି, ଲିଷ୍ଟରୁ ବାଦ ଦେଉଛି ଭୋଟରଙ୍କ ନାଁ: ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି ଶିବସେନା (ୟୁବିଟି)ର ନେତା ସଞ୍ଜୟ ରାଉତ । ରାଉତ ରବିବାର କହିଛନ୍ତି କି, ବିଜେପି ନିର୍ବାଚନକୁ ପ୍ରଭାବିତ କରିବାକୁ ଜାଲିଆତି କରୁଛି । ଭୋଟର ତାଲିକାରେ ହେରଫେର କରି ବିଜେପି ମତଦାନକୁ ପ୍ରଭାବିତ କରିବାକୁ ମସୁଧା କରିଛି ।

ରବିବାର ଗଣମାଧ୍ୟମକୁ ସମ୍ବୋଧିତ କରି ରାଉତ କହିଛନ୍ତି କି, ବିଜେପି ପ୍ରାର୍ଥୀ ଦେଇଥିବା ବିଧାନସଭା କ୍ଷେତ୍ରରେ ଭୋଟର ଲିଷ୍ଟରେ ଜାଲିଆତି କରୁଛି । ପ୍ରତି ଆସନରେ ମହା ବିକାଶ ଅଘାଡିକୁ ଭୋଟ ଦେଇଥିବା ପ୍ରାୟ ୧୦ ହଜାର ଭୋଟରଙ୍କ ନାଁ କାଟି ସେହି ସ୍ଥାନରେ ବୋଗସ ଭୋଟରଙ୍କ ନାଁ ଜୋଡିଛି । କେବଳ ମହାରାଷ୍ଟ୍ର ନୁହେଁ, ଝାଡଖଣ୍ଡରେ ମଧ୍ୟ ସମାନ ବ୍ୟବସ୍ଥା ଆପଣେଇଛି ବିଜେପି । ମହାରାଷ୍ଟ୍ରରେ ବିଜେପି ନିର୍ବାଚନ ହାରିବାକୁ ଯାଉଛି । ତତେଣୁ ସେମାନେ ହେରାଫେରି କରି ମିଛ ତାଲିକା ପ୍ରସ୍ତୁତ କରୁଛନ୍ତି ଓ ଏଥିରେ ଇଲେକ୍ସନ କମିଶନର ମଧ୍ୟ ସାହାଯ୍ୟ କରୁଛନ୍ତି ବୋଲି ସଞ୍ଜୟ କହିଛନ୍ତି ।

ତେଣୁ ଏହି ଘଟଣାକୁ ନେଇ ସେମାନେ କେବଳ ଘରୋଇ ନୁହେଁ ଆନ୍ତର୍ଜାତିକ ସ୍ତରରେ ଉଠାଇବେ ବୋଲି ଚେତାଇ ଦେଇଛନ୍ତି ସଞ୍ଜୟ । ଏହା ଗଣତନ୍ତ୍ର ହତ୍ୟା ପାଇଁ ମସୁଧା । ନିର୍ବାଚନ କମିଶନର ଗୃହ ବିଭାଗ ଅଧୀନରେ ଆସୁଛି । ଏଥିପାଇଁ ଅମିତି ସାହାଙ୍କୁ ଦାୟୀ କରିଛନ୍ତି ରାଉତ । ଗୃହମନ୍ତ୍ରୀ ଯଦି ଏହି ପ୍ରକ୍ରିୟାକୁ ଆଗକୁ ବଢାଇବେ, ତେବେ ଦେଶରେ ସ୍ଥିତି ବଦଳି ଯିବ ।

ସେ କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ୧୬୦ ଆସନରୁ ୨,୫୦୦,୧୦,୦୦ ଭୋଟର ଭୋଟ ଦେଇଥିଲେ । କିନ୍ତୁ ଏବେ ଫର୍ମ ୭ ଜରିଆରେ ବିଜେପି ସେହି ନାଁ ସବୁକୁ ତାଲିକାରୁ ବାହାର କରି ଦେଇଛି । ତେଣୁ ଏହା ଉପରେ ନିରପେକ୍ଷ ତଦନ୍ତ କରିବାସୁ ସଞ୍ଜୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅନୁରୋଧ କରିଛନ୍ତି ।